ଭୁବନେଶ୍ଵର, ୩୦/୦୧ : ରାଜ୍ୟରେ ପାନ ମସଲା ନିଷିଦ୍ଧ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ହେଲେ କେଉଁ ପ୍ରକାର ପାନ ମସଲା ବିକ୍ରି ହୋଇପାରିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ଦ୍ୱନ୍ଦ୍ୱ ଦୂର କରିଛି । ରାଜ୍ୟରେ ନିକୋଟିନ୍, ତମାଖୁ ନଥିବା ପାନ ମସଲା ବିକ୍ରି ହୋଇପାରିବ । ଏହା ଉପରେ କୌଣସି କଟକଣା ନଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱଥୀ ଏସ୍. ବାଣିଜ୍ୟ କର ଓ ଦ୍ରବ୍ୟ ସେବାକର ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ସଚିବ ଚିଠିରେ କହିଛନ୍ତି, ରାଜ୍ୟରେ ପାନ ମସଲା ନିଷିଦ୍ଧ ହେବନି । ଯେଉଁ ପାନମସଲାରେ ନିକୋଟିନ ଓ ତମାଖୁ ନଥିବ ତାହା ବିକ୍ରି ହୋଇପାରିବ । ତମାଖୁ ନିଷିଦ୍ଧ ନେଇ ୨୦୧୩ ପୁରୁଣା ଆଇନରେ ସଂଶୋଧନ କରି ଗତ ଜାନୁଆରୀ ୨୧ରେ ନୂଆ ଆଇନ ଲାଗୁ କରିଛନ୍ତି ସରକାର । ନୂଆ ଆଇନରେ ନିକୋଟିନ୍ ଓ ତମାଖୁଯୁକ୍ତ ପାନ ମସଲା, ଜର୍ଦ୍ଦା ପ୍ରସ୍ତୁତି, ବିକ୍ରି ଓ ଗଚ୍ଛିତ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଜାତୀୟ ହାରଠାରୁ ଦୁଇ ଗୁଣ ଅଧିକ ଓଡ଼ିଶାରେ ତମାଖୁ ସେବନ କରୁଛନ୍ତି । ତମାଖୁ, ଜର୍ଦ୍ଦା, ଖଇନି, ପାନ ମସଲା ସେବନ ଦ୍ୱାରା ମୁଖ ଗହ୍ୱର ଉପରେ ବ୍ୟାପକ ପ୍ରଭାବ ପଡ଼ିଥାଏ । ମୁଖ ଗହ୍ୱର କ୍ୟାନସର୍ ସହ ପାକସ୍ଥଳୀ, ଗଳା, ମୁତ୍ରାଶୟ କର୍କଟ ହେବାର ସମ୍ଭାବନା ଥାଏ । ସେଥିପାଇଁ ତମାଖୁ ନିଷିଦ୍ଧ ଆଇନକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ପୁଲିସ, ପ୍ରଶାସନ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ଗୁଟ୍ଖା, ତମାଖୁ ଜବତ କରାଯାଉଛି ।
ଏହି ଖବରଟିକୁ ପଢନ୍ତୁ- ରୁପା ଦର ୪ ଲକ୍ଷ ପାର୍, ହାତ ବାନ୍ଧି ବସିଛନ୍ତି ୫ ହଜାର ତାରକସି କାରିଗର, ବୁଡ଼ିଯିବ କି ବେଉସା ?