ଭୁବନେଶ୍ବର ୨୧/୧୧ : ଓଡ଼ିଶା ପୁଲିସର ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ ଓ ଦକ୍ଷ କରାଯିବ। ଗଠନ ହେବ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ (ଓଡ଼ିଶା ୟୁନିଫର୍ମଡ ସର୍ଭିସ ଷ୍ଟାଫ ସିଲେକସନ କମିଶନ)। ଖାଲି ପୁଲିସ ନୁହେଁ, ସମସ୍ତ ୟୁନିଫର୍ମ ସେବା ପାଇଁ ଏହି କମିଶନ ପରୀକ୍ଷା ପରିଚାଳନା କରିବ। ଏହା ମଧ୍ୟରେ ଅଗ୍ନିଶମ, ଜେଲ୍, ଅବକାରୀ, ବନ ବିଭାଗ, ପରିବହନ ବିଭାଗର ସମସ୍ତ ୟୁନିଫର୍ମ ସେବା ନିଯୁକ୍ତି ଅନ୍ତର୍ଭୁକ୍ତ। ରାଜ୍ୟ କ୍ୟାବିନେଟ ଆଜି ଏହି ବଡ଼ ପ୍ରସ୍ତାବରେ ମୋହର ମାରିଛି।
ପୂର୍ବରୁ ସବୁ ୟୁନିଫର୍ମ ସେବା ପରୀକ୍ଷାକୁ ଷ୍ଟାଫ ସିଲେକସନ କମିଶନ ପରିଚାଳନା କରୁଥିଲା। ୨୦୨୦ରୁ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ପୁଲିସ, ଅଗ୍ନିଶମ, ଜେଲ୍ ବିଭାଗ ନିଯୁକ୍ତି ପାଇଁ ପରୀକ୍ଷା କରି ଆସୁଥିବା ବେଳେ ଜଙ୍ଗଲ, ଅବକାରୀ ଓ ପରିବହନ ନିଯୁକ୍ତି ପରୀକ୍ଷା ଷ୍ଟାଫ ସିଲେକସନ କରୁଥିଲା। ବାରମ୍ବାର ଏସବୁ ପରୀକ୍ଷାରେ ଅନିୟମିତତା, ବିଳମ୍ବ ଆଦି ବିଭ୍ରାଟ ଦେଖା ଦେଇଥିଲା। ଏ ଦିଗରେ ଗୁରୁତର ସହ ବିଚାର କରି ୟୁନିଫର୍ମ ନିଯୁକ୍ତି ପରିଚାଳନା ପାଇଁ ମୋହନ ସରକାର ନୂଆ କମିଶନ ଗଠନ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ-୨୦୨୫କୁ କ୍ୟାବିନେଟ ମଞ୍ଜୁରି ଦେଇଛି।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ୧୨ ଟି ପ୍ରସ୍ତାବ ପାରିତ ହୋଇଛି। ଏଣିକି ବାଲି, ପଥର, ଚିପ୍ସ ଆଦି ଲଘୁ ଖଣିଜ ଦର କମିବ। ଲଘୁ ଖଣିଜ ପଦାର୍ଥ ଲିଜ ଆବଣ୍ଟନ ପାଇଁ ଆଉ ନିଲାମ ଡକାଯିବନି, ହେବ ଇ-ଲଟେରୀ। ଖାଲି ସେତିକି ନୁହେଁ, ଏଣିକି ବାଲି, ପଥର ଆଦି ଲଘୁ ଖଣିଜର ବଜାର ଦର ସରକାର ଧାର୍ଯ୍ୟ କରିବେ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଲଘୁ ଖଣିଜ ପଦାର୍ଥକୁ ବହୁ ଅଧିକ ମୂଲ୍ୟରେ ନିଲାମ ଦିଆଯାଉଥିଲା। ଯିଏ ନିଲାମ ନେଉଥିଲେ, ସିଏ ଚଢ଼ା ଦରରେ ବାଲି, ପଥର ଆଦି ବିକ୍ରି କରୁଥିଲେ। କ୍ୟାବିନେଟରେ ଲଘୁ ଖଣିଜ ରିହାତି ନିୟମର ସଂଶୋଧନ ପ୍ରସ୍ତାବ ଗୃହୀତ ହୋଇଛି। ଏଣିକି ସ୍ବଚ୍ଛ ପଦ୍ଧତିରେ ଇ-ଲଟେରୀ କରାଯିବ। ସୁଲଭ ମୂଲ୍ୟରେ ଲଘୁ ଖଣିଜ ପଦାର୍ଥ ମିଳିବ। ଏଥିଯୋଗୁ ଲଘୁ ଖଣିଜ (ବାଲି, ପଥର) ଚୋରା ଚାଲାଣ ରୋକିବ। ଲିଜଧାରୀ ବ୍ୟକ୍ତି ଯଦି ଲଘୁ ଖଣି ଚଳାଇବେ ନାହିଁ, ତେବେ ତାଙ୍କୁ କଳା ତାଲିକାଭୁକ୍ତ କରାଯିବ। ସେହିପରି ବାଲି, ପଥର ଆଦି ଖଣି ଲିଜଧାରୀଙ୍କ ମନମାନି ଆଉ ରହିବନି। ଗୋଟିଏ ବ୍ୟକ୍ତି ବା ସଂସ୍ଥା ଜିଲ୍ଲାରେ ସର୍ବ।ଧିକ 3ଟି ଓ ରାଜ୍ୟରେ ୫ଟିରୁ ଅଧିକ ଲଘୁ ଖଣିଜ ଲିଜ ନେଇପାରିବେ ନାହିଁ।
ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ ୨୦୨୫କୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହା ବେଆଇନ ଖନନ ଓ ଚୋରା ଚାଲାଣକୁ ରୋକିବ। ୨୦୦୭ରୁ ଚାଲି ଆସିଥିବା ବ୍ୟବସ୍ଥାକୁ ହଟାଇ ଅତ୍ୟାଧୁନିକ ବ୍ୟବସ୍ଥା ଲାଗୁ ହେବ। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସୂଚନା ଦେଇଛନ୍ତି, ଏଣିକି ଖଣିଜ ପଦାର୍ଥର ଖନନରୁ ପରିବହନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଏଆଇ ଦ୍ବାରା ପରିଚାଳିତ ହେବ। ଏଆଇ କ୍ୟାମେରା ଲାଗିବା ସହ ଆରଏଫଆଇଡି ବାରକୋଡ୍ ରହିବ। ଜିପିଏସ ଟ୍ରାକିଂ କରାଯିବ। ରାଜପଥରେ ଫାଷ୍ଟଟ୍ୟାଗ୍ ସହ ସମସ୍ତ ଖଣି ପରିବହନ ଗାଡ଼ିକୁ ସଂଯୋଗ କରାଯିବ। ଟ୍ରାନଜିଟ ପାସ୍ ପାଇଁ ବାରକୋଡ ବ୍ୟବସ୍ଥା ହେବ। ଓଡ଼ିଶାର ଏହି ବ୍ୟବସ୍ଥା ଦେଶରେ ସବୁଠାରୁ ସ୍ବଚ୍ଛ ଏବଂ ଯୁଗାନ୍ତକାରୀ ହେବ। ଏହା ଖଣି ଲିଜଧାରୀଙ୍କୁ ବାଧାମୁକ୍ତ ପରିବେଶ ଯୋଗାଇ ଦେବ।
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍ ମାଟ୍ରିକ ଛାତ୍ର ବୃତ୍ତି ଓ ମାଟ୍ରିକ ପରବର୍ତ୍ତୀ ଛାତ୍ର ବୃତ୍ତି ବାବଦକୁ ମିଳୁଥିବା ରାଶି ବୃଦ୍ଧି କରାଯାଇଛି। ଆବାସିକ ବିଦ୍ୟାଳୟ ଅନ୍ତେବାସୀ (ପ୍ରାକ୍ ମାଟ୍ରିକ) ଛାତ୍ରଙ୍କ ପାଇଁ ବାର୍ଷିକ ମେସ୍ ଖର୍ଚ୍ଚ ୧୦ ହଜାର ୫ଶହ ଟଙ୍କା ଥିବାବେଳେ ଏହାକୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଗରେ ଛାତ୍ରୀଙ୍କ ପାଇଁ ୧୧ ହଜାର ବଦଳରେ ଏଣିକି ୧୭ ହଜାର ଟଙ୍କା ପ୍ରଦାନ କରାଯିବ। ଅନ୍ବେଷା ଛାତ୍ରାବାସ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍ ମାଟ୍ରିକ ବୃତ୍ତି ୧୧ ହଜାରରୁ ୧୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ମାଟ୍ରିକ ପରବର୍ତ୍ତୀ ଛାତ୍ରଙ୍କ ମେସ ଖର୍ଚ୍ଚ ୧୬ ହଜାର ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଛାତ୍ରୀଙ୍କ ପାଇଁ ୧୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଛାତ୍ରବୃତ୍ତି ୨୦୨୫-୨୬ରୁ ଶିକ୍ଷାବର୍ଷର ଡିସେମ୍ବର ପହିଲାରୁ ଲାଗୁ ହେବ।
କ୍ୟାବିନେଟ୍ ବୈଠକରେ ପରିବେଶ ସୁରକ୍ଷା ପାଇଁ ଜଳ (ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ ୨୦୨୪ ଗ୍ରହଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହା ଶିଳ୍ପ ଗୁଡ଼ିକ ଉପରେ ନିୟାମକ ବୋଝ ହ୍ରାସ କରିବ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାରେ ବି ସଂଶୋଧନ ଅଣାଯାଇଛି। ସେହିପରି ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ସର୍ଭୟେର କ୍ୟାଡର ପୁନର୍ଗଠନ କରାଯାଇଛି। ଏହାଦ୍ବାରା କର୍ମଚାରୀଙ୍କ ଦରମା ବୃଦ୍ଧି ହେବା ସହ ପଦୋନ୍ନତି ସୁଯୋଗ ସୃଷ୍ଟି ହୋଇଛି। ସେହିପରି ୧୯୯୩ ରୁ ୧୯୯୬ ମଧ୍ୟରେ ପୁଲିସ କର୍ମଚାରୀଙ୍କୁ ଦିଆଯାଇଥିବା ଅଗ୍ରହଣୀୟ ସ୍ବତନ୍ତ୍ର ଡାଏଟ୍ ଭତ୍ତା ବାବଦକୁ କ୍ଷତିକୁ ହିସାବରୁ ବାଦ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଓଡ଼ିଶା ଅର୍ଥ ସେବା ନିୟମାବଳୀରେ ସଂଶୋଧନ କରାଯାଇ ଅଧିକାରୀମାନଙ୍କ ତାଲିମ ଅବଧି ନିର୍ଦ୍ଧ।ରଣ କରିବା କ୍ଷମତା ସରକାରଙ୍କ ହାତକୁ ଦିଆଯାଇଛି। ୮୦ ଦଶକରେ ଶ୍ରମ ନିଯୁକ୍ତି ଓ ଗୃହ ନିର୍ମ।ଣ ବିଭାଗ ଦ୍ବାରା ଯେଉ ବାସଗୃହ ଯୋଗାଇ ଦିଆଯାଇଥିଲା, ତାହାର ଏନଓସିକୁ ନେଇ ସମସ୍ୟା ଲାଗି ରହିଥିଲା। ଏହାର ସମାଧାନ ପାଇଁ ସାଧାରଣ ପ୍ରଶାସନ ବିଭାଗକୁ କ୍ଷମତା ଦିଆଯାଇଛି। ଏସବୁ ବ୍ୟତୀତ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି।
-ପୁଲିସ ନିଯୁକ୍ତି ପାଇଁ ଗଠନ ହେବ ନୂଆ କମିଶନ
-ସମସ୍ତ ୟୁନିଫର୍ମ ସେବା ପରୀକ୍ଷା ପରିଚାଳନା କରିବ
-ଲଘୁ ଖଣିଜର ହେବ ଇ-ଲଟେରୀ
-ଶସ୍ତା ହେବ ବାଲି, ପଥର
-ଖଣି ଚୋରି ରୋକିବାକୁ ଏଆଇ କ୍ୟାମେରା, ଜିପିଏସ
-ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ରାଶି ବଢ଼ିଲା
ସେହିପରି ଆଇଟି କ୍ଷେତ୍ରରେ ମଧ୍ୟ ଏକ ବଡ଼ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ମୋହନ ସରକାର ଅଣ୍ଟା ଭିଡ଼ିଛନ୍ତି। ଓଡ଼ିଶା ବୈଶ୍ବିକ ସାମର୍ଥୟ କେନ୍ଦ୍ର (ଜିସିସି) ନୀତି ୨୦୨୪କୁ କ୍ୟାବିନେଟ ଅନୁମୋଦନ ଦେଇଛି। ଅଗ୍ରଣୀ ବହୁରାଷ୍ଟ୍ରୀୟ ଆଇଟି କର୍ପୋରେସନ (ଏମଏନସି) ଗୁଡ଼ିକୁ ବିଶ୍ବସ୍ତରୀୟ ଭିତ୍ତିଭୂମି, କୁଶଳୀ ପ୍ରତିଭା, ପ୍ରଗତିଶୀଳ ପ୍ରୋତ୍ସାହନ ଦେବେ ସରକାର। ଏହା ରାଜ୍ୟରେ ୧ ହଜାର କୋଟି ଟଙ୍କାର ନିବେଶ ଆଣିବ। ରାଜ୍ୟରେ ୫ଟି ଜିସିସି ହବ୍ ପ୍ରତିଷ୍ଠା ହେବ। ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଏବଂ ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର ଅର୍ଥନୈତିକ ଅଞ୍ଚଳ ଆରମ୍ଭ କରିବ। ଏହା ଦ୍ବାରା ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।