ଭୁବନେଶ୍ୱର,୧୯/୯ : ଚଳିତ ବର୍ଷ ପ୍ରଥମ ଦଫାରେ ରାଜ୍ୟରେ ନିଲାମ ହେବ ୧୨ ଖଣି । ଏଥିପାଇଁ ସରକାରଙ୍କ ଅନୁମୋଦନ ମିଳିଛି, ଟେଣ୍ଡର ଆହ୍ୱାନ ପାଇଁ ଆନୁଷଙ୍ଗିକ କାମ ହାତକୁ ନିଆଯାଇଛି । ଆସନ୍ତା ବର୍ଷ ଗୋଟିଏ ଖଣିର ଲିଜ୍‌ ଅବଧି ଶେଷ ହେବ । ଏନେଇ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି ।

ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦର୍ଶାଇଛନ୍ତି, କେନ୍ଦୁଝର ମୁର୍ଗାବେଡ଼ାରେ ଡିଆର୍‌ ପଟ୍ଟନାୟକଙ୍କ ଲୁହାପଥର ଖଣିର ଲିଜ୍‌ ଅବଧି ଆସନ୍ତା ୨୦୨୬-୨୭ରେ ସରିବ । ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୪ଟି ଲୁହାପଥର ଖଣି, ୨ଟି ବକ୍ସାଇଟ୍‌, ୨ଟି ଚୂନପଥର, ଗୋଟିଏ ମାଙ୍ଗାନିଜ୍‌ ଖଣି ସମେତ ୧୨ ଖଣି ନିଲାମ ହେବ । ୨ଟି ମାଙ୍ଗାନିଜ୍‌ଯୁକ୍ତ ଲୁହାପଥର ଓ ଗୋଟିଏ ଚୂନପଥରଯୁକ୍ତ ଡୋଲୋମାଇଟ୍‌ ଖଣି ରହିଛି । ଏ ସମସ୍ତ ଖଣି ନିଲାମ ଅପେକ୍ଷାରେ । ନିଲାମ ପାଇଁ ସବୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପେସା ଆଇନ ଲାଗୁ ପରେ ରାଜ୍ୟରେ ଖଣି ନିଲାମ ଏହି ଆଇନର ନିୟମ ଓ ବ୍ୟବସ୍ଥା ଅନୁଯାୟୀ କରିବାକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି ।