ଭୁବନେଶ୍ୱର, ୨୬/୦୪: ପହଲଗାମ  ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ  ବିରୋଧରେ ଭାରତ କୂଟନୈତିକ ଯୁଦ୍ଧ  ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ  ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବାକୁ  ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଗୃହ  ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଓଡ଼ିଶାରେ  ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ  ଦେଶ ଛାଡ଼ିବା ପାଇଁ ନୋଟିସ ଜାରି କରିବା  ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ୧୨ ଜଣ  ଦୀର୍ଘକାଳୀନ ଭିସା (ଏଲ୍‌ଟିଭି)ରେ ଓଡ଼ିଶାରେ  ରହୁଛନ୍ତି । ୧୨ ଜଣଙ୍କ ମଧ୍ୟରୁ ୨ରୁ ୩ ଜଣ  ଚିକିତ୍ସା ପାଇଁ ଭୁବନେଶ୍ୱର ଥିବା ଜଣାପଡ଼ିଛି ।  ଏହି ବ୍ୟକ୍ତିମାନେ ରାଜ୍ୟରେ ଦୀର୍ଘ ସମୟ ଧରି ରହୁଛନ୍ତି ଏବଂ ଖୁବ୍‌ ଶୀଘ୍ର ସେମାନଙ୍କୁ ଆନୁଷ୍ଠାନିକ ଭାବରେ ଦେଶ ଛାଡ଼ିବାକୁ କୁହାଯିବ । ସେହିଭଳି ରାଜଧାନୀ ଭୁବନେଶ୍ବରରେ ପାକିସ୍ତାନ ମହିଳା ଥିବା ଜଣାପଡିଛି। ତାଙ୍କ ଭିସାର ଅବଧି ଶେଷ ହୋଇଯାଇଛି। ଗତ ଫେବ୍ରୁଆରୀ ୨୬ ତାରିଖରେ ଭିସାର ଅବଧି ବଢାଇବାକୁ ସେ ଆବେଦନ କରିଥିଲେ ବୋଲି ଜଣାପଡିଛି। ସେ ଓଡିଶାରେ ଜଣେ ମୁସଲିମ ଯୁବକଙ୍କୁ ପ୍ରେମ ବିବାହ କରି ବର୍ଷେ ହେବ ରହୁଥିବା ଜଣାପଡିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ସମସ୍ତ  ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ସେମାନଙ୍କ  ରାଜ୍ୟରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ ଚିହ୍ନଟ  କରି ଯଥାଶୀଘ୍ର ସେମାନଙ୍କୁ ପାକିସ୍ତାନ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ଏ ସମ୍ପର୍କରେ କେନ୍ଦ୍ରକୁ ପୂର୍ଣ୍ଣ ସହଯୋଗ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ଗୃହ ବିଭାଗ ଏହି  ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଆରମ୍ଭ  କରିଛି । ଏନେଇ ଡିଜିପି ୱାଇ.ବି ଖୁରାନିଆ କହିଛନ୍ତି,  ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ତ୍ତମାନ ୧୨ ଜଣ ପାକିସ୍ତାନୀ  ନାଗରିକ ଅଛନ୍ତି। ଏହି ଲୋକମାନଙ୍କୁ ୪୮ ଘଣ୍ଟା  ମଧ୍ୟରେ ଭାରତ ଛାଡିବା ପାଇଁ ନୋଟିସ ଦିଆଯାଇଛି ।