-ପଥର ମାଡ଼ରେ ପୁଲିସ୍ କର୍ମଚାରୀ ଆହତ

-୧୨ ପ୍ଲାଟୁନ୍ ଫୋର୍ସ ମୁତୟନ, ବିଏନ୍‌ଏସ୍ ୧୬୩ ଲାଗୁ

-୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ଉପରେ କଟକଣା

-ଆଜି ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା

ସୁନ୍ଦରଗଡ଼, ୧୬/୦୧: ଗୋଷ୍ଠୀ ସଂଘର୍ଷରୁ ଅଶାନ୍ତ ହୋଇଉଠିଛି ସୁନ୍ଦରଗଡ଼ ସହର । ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିଛନ୍ତି । ଗାଡ଼ି ଓ ଦୋକାନ ଭଙ୍ଗାରୁଜା କରିଛନ୍ତି । ଗୋଟିଏ ଭ୍ୟାନ୍ ଜାଳି ଦେଇଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିଏନ୍‌ଏସ୍ ୧୬୩ ଲାଗୁ କରାଯାଇଛି । ଇଣ୍ଟରନେଟ୍ ସେବାକୁ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଶୁକ୍ରବାର ସୁନ୍ଦରଗଡ଼ ଟାଉନ୍‌ର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି । ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ବନ୍ଦ କଟକଣା ଅବଧି ବୃଦ୍ଧି ସମ୍ପର୍କିତ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଏସ୍ପି ଅମ୍ରିତପାଲ କୌର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୂରଜ ପଟ୍ଟନାୟକ, ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା ସ୍ଥିତି ଉପରେ ନଜର ରଖିଛନ୍ତି । ଗୋମାଂସ କାରବାରକୁ ନେଇ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିବା କୁହାଯାଉଛି ।

ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସ୍ଥାନୀୟ ରିଜେଣ୍ଟ ମାର୍କେଟ୍ ଅଞ୍ଚଳରେ ହଠାତ୍ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏସ୍‌ଡିପିଓ ନିର୍ମଳ ମହାପାତ୍ର ଓ ଟାଉନ ଥାନା ପୁଲିସ୍ ପହଞ୍ଚି ବୁଝାସୁଝା କରିଥିଲେ । ଦୁଇ ଗୋଷ୍ଠୀର ନେତୃବୃନ୍ଦଙ୍କୁ ଡାକି ନିଜ ନିଜ ଲୋକଙ୍କୁ ବୁଝାଇ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ହେଲେ କେହି ଶୁଣି ନ ଥିଲେ । ଅପରାହ୍ଣ ୧ଟାରେ ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ । ପଥର ମାଡ଼ରେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ । ସ୍ଥିତି ଜଟିଳ ହେଉଥିବା ଦେଖି ଅଧିକ ପୁଲିସ୍ ଫୋର୍ସ ପହଞ୍ଚିଥିଲେ । ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରାଯାଇଥିଲା । ଉତ୍ତେଜନା ଭିତରେ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ପୁଣିଥରେ ଦୁଇ ଥରେ ଗୋଷ୍ଠୀ ପକ୍ଷରୁ ପଥର ମାଡ଼ ହୋଇଥିଲା । ଫଳରେ ପୁଲିସ୍ ଫୋର୍ସ ଛତ୍ରଭଙ୍ଗ ଦେଇଥିଲେ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଡିଆଇଜି, ଏସ୍‌ପି ଅତିରିକ୍ତ ପୁଲିସ୍ ଫୋର୍ସ ସହ ପହଞ୍ଚିଥିଲେ ।

ପୁଲିସ୍ ବୁଝାସୁଝା କରୁଥିବାବେଳେ ଗୋଟିଏ ଗୋଷ୍ଠୀର ଲୋକେ ନାରୀ କଲ୍ୟାଣ କେନ୍ଦ୍ର ରୋଡ୍‌କୁ ଚାଲି ଆସିଥିଲେ । ଅପର ଗୋଷ୍ଠୀର ଲୋକେ ୩ଟି କାର୍ ଓ ୨ଟି ବାଇକ୍, ୫ଟି ଦୋକାନ ଭଙ୍ଗାରୁଜା କରିଥିଲେ । ଗୋଟିଏ ପିକ୍‌ଅପ୍ ଭ୍ୟାନ୍‌ରେ ନିଆଁ ଲଗାଇ ଦେଇଥିଲେ । ଗାଡ଼ିପୋଡ଼ି ଏବଂ ଭଙ୍ଗାରୁଜାକୁ ନେଇ ଉତ୍ତେଜନା ଉଗ୍ରରୂପ ନେଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ରିଜେଣ୍ଟ ମାର୍କେଟ୍ ଅଞ୍ଚଳରେ ରୁଣ୍ଡ ହୋଇଥିବା ଉଭୟ ଗୋଷ୍ଠୀର ଲୋକଙ୍କୁ ଘଉଡ଼ାଇଥିଲା ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ଟାରୁ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ୫ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗୁ କରାଯାଇଛି । ପୁଲିସ୍ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି । ପୌରପାଳିକା ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରାଯାଇଛି । ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ଶୁକ୍ରବାର ଶାନ୍ତି କମିଟି ବୈଠକ କରିବା ଲାଗି ଡିଆଇଜି ଶ୍ରୀ ରାୟ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଗୁଜବ ଉପରେ ବିଶ୍ୱାସ ନ କରିବା ଲାଗି ଜିଲ୍ଲାପାଳ, ଡିଆଇଜି ଏବଂ ଏସ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି ।