ମୁମ୍ବାଇ,୦୬/୦୮: ଖୁବଶୀଘ୍ର ପରଦାରେ ଦେଖିବାକୁ ମିଳିବ ୧୨୦ ସୈନିକଙ୍କ ବୀରତ୍ୱର କାହାଣୀ । ଫରହାନ ଅଖତରଙ୍କ ଅଭିନୀତ '୧୨୦ ବାହାଦୂର' ସିନେମା ହଲରେ ଦମଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ଆଉ ଏହାରି ମଧ୍ୟରେ ଗତକାଲି '୧୨୦ ବାହାଦୂର'ର ଟିଜର ରିଲିଜ ହୋଇଯାଇଛି।ଏହି ଫିଲ୍ମ ୨୦୨୫ ନଭେମ୍ବରରେ ରିଲିଜ ହେବ ।
୨୦୨୧ ଫିଲ୍ମ 'ତୁଫାନ' ପରେ, ଫରହାନ୍ ଅଖତର '୧୨୦ ବାହାଦୂର' ଫିଲ୍ମ ସହ ବଡ଼ ପରଦାକୁ ଫେରିଚନ୍ତି । ନିର୍ମାତାମାନେ ମଙ୍ଗଳବାର '୧୨୦ ବାହାଦୂର'ର ଟିଜର ରିଲିଜ୍ କରିଛନ୍ତି, ଯେଉଁଥିରେ ଫରହାନ୍ ଭାରତୀୟ ସେନାର ୟୁନିଫର୍ମ ପିନ୍ଧିଥିବାର ଦେଖିବାକୁ ମିଳିଛି । ଫିଲ୍ମରେ ସେ ମେଜର ଶୈତାନ ସିଂହ ଭାଟି ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଫରହାନ ଇନଷ୍ଟାଗ୍ରାମରେ '୧୨୦ ବାହାଦୂର'ର ଟିଜର ସେୟାର କରିଛନ୍ତି । ସେ ତାଙ୍କ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଏହି ୟୁନିଫର୍ମ କେବଳ ସାହସ ନୁହେଁ ବରଂ ବଳିଦାନ ମଧ୍ୟ ଦାବି କରେ । ବରଫରେ ଖୋଦିତ ଏବଂ ବଳିଦାନରେ ସଜ୍ଜିତ ଏକ ଅବିଶ୍ୱସନୀୟ ସତ୍ୟ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ । ପ୍ରକାଶ ଥାଉକି, '୧୨୦ ବାହାଦୂର' ରଜନୀଶ ଘାଇଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହା ରିତେଶ ସିଧୱାନୀ-ଫରହାନ ଅଖତରଙ୍କ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଏବଂ ଅମିତ ଚନ୍ଦ୍ରଙ୍କ ଟ୍ରିଗର ହାପି ଷ୍ଟୁଡିଓ ଦ୍ୱାରା ପ୍ରଯୋଜିତ । ଫିଲ୍ମରେ ଫରହାନ ଅଖତରଙ୍କ ସହିତ ରାଶି ଖନ୍ନା ମୁଖ୍ୟ ଭୂମିକାରେ ନଜର ଆସିବେ ।