ମାଲକାନଗିରି, ୨୯/୧୦ (ଆପ୍ର ): ସୁନା ଦୋକାନରୁ ଚୋରି ଘଟଣାରେ ମାଲକାନଗିରି ପୁଲିସ ୧୨୦ ଗ୍ରାମ ସୁନା ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୋରିଗୁମାର ସୁମନକୁମାର ଅଚର୍ଯ୍ୟା(୨୫),ଜୟପୁରର କେ ମୁରଲୀ (୩୫), ନବରଙ୍ଗପୁରର ଏ. ଶ୍ରୀନିବାସ ଆଚାର୍ଯ୍ୟ (୫୫)।
ଗତ ଜୁନ ୩ ତାରିଖ ରାତିରେ ମାଲକାନଗିରି ଜିଲ୍ଲା ସଦର ବଣ୍ଡାବାକୁଲି ଗୁଡାର ସୁନା ବ୍ୟବସାୟୀ ସୁବାସ ରାଜାରାମ ପାଟିଲ (୪୫) ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ନିକଟରେ ଥିବା ସୁନା ବ୍ୟାଗକୁ କିଛି ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଯେଉଁଥିରେ ଏକ କେଜିରୁ ଉର୍ଦ୍ଧ୍ବ ସୁନା ଓ ଟଙ୍କା ଥିଲା। ଏହି ଘଟଣାକୁ ନେଇ ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।
ଏହି ଘଟଣାରେ ସମ୍ପୃକ୍ତ ଥିବା କୋରାପୁଟ ଜିଲ୍ଲା ବୋରିଗୁମାର ସୁମନକୁମାର ଅଚର୍ଯ୍ୟା(୨୫),ଜୟପୁରର କେ ମୁରଲୀ (୩୫), ନବରଙ୍ଗପୁରର ଏ. ଶ୍ରୀନିବାସ ଆଚାର୍ଯ୍ୟ (୫୫)କୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ପୋଲିସ ୧୨୦ ଗ୍ରାମ ସୁନା ଓ ସାଢ଼େ ଚାରି ଲକ୍ଷ ଟଙ୍କା , ମୋଟର ସାଇକେଲ ଓ ଗୋଟିଏ କାର ଜବତ କରିଛି । ଏନେଇ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ରାଜ କିଶୋର ଦାଶ, ଏଏସପି ରଶ୍ମିରଞ୍ଜନ ସେନାପତି ପ୍ରମୁଖ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।