ଭୁବନେଶ୍ୱର  ୦୩/୦୧: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା । ୧୨ ତାରିଖ ଯାଏ ଏହି ପରୀକ୍ଷା ଚାଲିବ । ଗୋଟିଏ ଗ୍ରୁପରେ ସର୍ବାଧିକ ୨୪ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କରାଯାଉଛି । ରାଜ୍ୟରେ ମୋଟ ୨ ଲକ୍ଷ ୨୫ ହଜାର ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ସରିବା ମାତ୍ରେ ମୂଲ୍ୟାଙ୍କନକୁ ଗୁରୁତ୍ୱ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) । ଚଳିତବର୍ଷ କଳାରେ ଓଡ଼ିଆ ଓ ଇଂରାଜୀ ପରୀକ୍ଷା ଖାତାକୁ ଅନ୍‌ଲାଇନରେ ମୂଲ୍ୟାଙ୍କନ କରାଯିବ । ପରୀକ୍ଷା ପରିଚାଳନା ପାଇଁ ୨୦୫ଟି ହବ୍‌ କରାଯାଇଛି ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି । 

ବିଜ୍ଞାନ ବିଭାଗରେ ୧୨ଟି, କଳାରେ ୮, ବାଣିଜ୍ୟରେ ୨, ଧନ୍ଦାମୂଳକ ଶିକ୍ଷାରେ ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ଚାଲିବ । ଜାନୁଆରୀ ୧୦ରୁ ୨୫ ତାରିଖ ମଧ୍ୟରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ଓ ପ୍ରାକ୍ଟିକାଲ ମାର୍କକୁ ସାମ୍‌ସ ପୋର୍ଟାଲ୍‌ରେ ଅପଡେଟ୍‌ କରିବାକୁ କୁହାଯାଇଛି । ପ୍ରାକ୍ଟିକାଲ ପରୀକ୍ଷାର ଉତ୍ତର ଖାତା ଓ ମାର୍କ ଫଏଲ୍‌ରେ ଏକ୍ସଟରନାଲ ପରୀକ୍ଷକଙ୍କ ଦସ୍ତଖତ ବାଧ୍ୟତାମୂଳକ । ନଚେତ୍‌ ପରୀକ୍ଷାର୍ଥୀଙ୍କ ଫଳକୁ ସ୍ଥଗିତ ରଖାଯିବ । ଏଥିପାଇଁ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଦାୟୀ ରହିବେ । ଜାନୁଆରୀ ୨୭ରୁ ଫେବ୍ରୁଆରୀ ୪ ତାରିଖ ମଧ୍ୟରେ କଲେଜ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କର ହାର୍ଡ କପି ପରିଷଦ ନିକଟରେ ଦାଖଲ କରିବେ । ଧାର୍ଯ୍ୟ ସମୟ ପରେ ପ୍ରାକ୍ଟିକାଲ ରେକର୍ଡ ଆସିଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି । 

ସେହିପରି ପରୀକ୍ଷା ପରିଚାଳନା ପାଇଁ ଚଳିତ ବର୍ଷ ନୂଆ ୪ଟି ହବ୍‌ କରାଯାଇଛି । ଗୋଟିଏ ହବ୍‌କୁ ବାତିଲ କରାଯାଇଛି । ଗତବର୍ଷ ୨୦୨ ହବ୍‌ କରାଯାଇଥିଲା । ଏଥିରୁ ଚଳିତ ବର୍ଷ କଟକର ଜେକେବିକେ କଲେଜକୁ ବାଦ୍‌ ଦିଆଯାଇଛି । କିନ୍ତୁ ସିଏଚ୍‌ଏସ୍‌ଇ ପକ୍ଷରୁ ଆଉ ୪ଟି ନୂଆ ପରୀକ୍ଷା ହବ୍‌ କରାଯାଇଛି । ଯେଉଁଥିରେ ସୁନ୍ଦରଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ୨ଟି ହବ୍‌ ହୋଇଛି । ସେହିପରି ମାଲକାନାଗିରି ଜିଲ୍ଲାରେ ୨ଟି ପରୀକ୍ଷା ହବ୍‌ ହୋଇଛି । ଅନ୍ୟପଟେ ପ୍ରଥମ ଥର କଳାର ଓଡ଼ିଆ ଓ ଇଂରାଜୀ ଖାତାକୁ ଅନ୍‌ଲାଇନ୍‌ରେ ଦେଖାଯିବ । ଫଳରେ ଖାତା ଦେଖାରେ ହେଉଥିବା ବିଳମ୍ବକୁ ଏଡ଼ାଇ ଦିଆଯାଇପାରିବ । ଏନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ୧୨୬୮ଟି ସେଣ୍ଟର, ୮ଟି ଉପକେନ୍ଦ୍ର, ୨୧୫ଟି ଧନ୍ଦାମୂଳକ କେନ୍ଦ୍ର ଏବଂ ୪୨୫ଟି ଆବାସିକ କଲେଜରେ ପରୀକ୍ଷା ଚାଲିଛି । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ହେବ ।