ନୂଆଦିଲ୍ଲୀ ୧୩/୩; ୧୯୫୭ ମସିହାରୁ ଅଦ୍ୟାବଧି ମନୁଷ୍ୟ ୧୯ ହଜାରରୁ ଅଧିକ ସାଟେଲାଇଟ୍ ମହାକାଶକୁ ପଠାଇଛି । ତନ୍ମଧ୍ୟରୁ ପ୍ରାୟ ୧୧ ହଜାର ସାଟେଲାଇଟ୍ ସକ୍ରିୟ ଅଛି। ସଂଚାର, ପାଣିପାଗ ପୂର୍ବାନୁମାନ, ଦିଗ ନିର୍ଣ୍ଣୟ ଓ ବୈଜ୍ଞାନିକ ଅନୁସନ୍ଧାନ ଭଳି ଅନେକ ଜରୁରି କାର୍ଯ୍ୟରେ ଏହି ସାଟେଲାଇଟ୍ ସାହାଯ୍ୟ କରୁଛନ୍ତି । କିନ୍ତୁ ଏହି ସକ୍ରିୟ ଉପଗ୍ରହ ତୁଳନାରେ ବହୁତ ଅଧିକ ସଂଖ୍ୟାରେ ନିଷ୍କ୍ରିୟ ଉପଗ୍ରହ କିମ୍ବା ବେକାର ସାଟେଲାଇଟ୍ ପୃଥିବୀ କକ୍ଷରେ ଘୂରୁଛନ୍ତି ।
ଆମେରିକାର ସ୍ପେସ୍ ସର୍ଭିଲାନ୍ସ ନେଟ୍ୱର୍କ ଲଗାତାର ପୃଥିବୀ କକ୍ଷରେ ପ୍ରାୟ ୪୦ ହଜାର ବଡ଼ ବସ୍ତୁ ଉପରେ ନଜର ରଖିଛି । ତେବେ ୟୁରୋପୀୟ ମହାକାଶ ଏଜେନ୍ସି ଅନୁସାରେ, ବାସ୍ତବ ବିପଦ ହେଉଛି ସେହି ଛୋଟ ଛୋଟ ଖଣ୍ଡ, ଯାହାକୁ ଚିହ୍ନଟ କରିବା ଆପାତତଃ ଅସମ୍ଭବ । ଏଜେନ୍ସି ଅନୁସାରେ, ୧୩ କୋଟିରୁ ଅଧିକ ଛୋଟ ବର୍ଜ୍ୟ ମହାକାଶରେ ଘୂରିବୁଲୁଛନ୍ତି । ଏହି ଖଣ୍ଡ ହାରାହାରି ଘଣ୍ଟାପ୍ରତି ୨୮୫୬୨ କିମି ବେଗରେ ପୃଥିବୀ କକ୍ଷରେ ଘୂରୁଛନ୍ତି । ଏତେ ଦ୍ରୁତ ଗତିରେ ମାଡ଼ ହେବା ଦ୍ୱାରା ଅତି ଛୋଟ ବସ୍ତୁ ମଧ୍ୟ ସାଟେଲାଇଟ୍ କିମ୍ବା ମହାକାଶ ଯାନକୁ ଗମ୍ଭୀର କ୍ଷତି ପହଞ୍ଚାଇ ପାରନ୍ତି । ଏହା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଓ ଷ୍ଟାର୍ଲିଙ୍କ ଭଳି ବୈଶ୍ୱିକ ସଂଚାର ନେଟ୍ୱର୍କକୁ କ୍ଷତି ପହଞ୍ଚାଇପାରେ । ବୈଜ୍ଞାନିକମାନେ କେସଲର ସିଣ୍ଡ୍ରୋମ୍ ସ୍ଥିତିକୁ ନେଇ ସବୁଠୁ ଅଧିକ ଚିନ୍ତାବ୍ୟକ୍ତ କରିଛନ୍ତି ।
ଏହା ଅନୁସାରେ, ମହାକାଶରେ ଯଦି ବର୍ଜ୍ୟର ମାତ୍ରା ଏକ ନିର୍ଦ୍ଦିଷ୍ଟ ସ୍ତରଠୁ ଅଧିକ ହୋଇଯାଏ, ତେବେ ଗୋଟିଏ ଧକ୍କା ଏକାଧିକ ଧକ୍କାର ଏକ ସିରିଜ୍ ଆରମ୍ଭ କରିପାରେ । ଏହା ଦ୍ୱାରା ବହୁତ ଅଧିକ ବର୍ଜ୍ୟ ଉତ୍ପନ୍ନ ହେବ ଏବଂ ଏହି ପ୍ରକ୍ରିୟା ଲଗାତାର ବଢ଼ିଚାଲିବ । ପରମାଣୁ ବୋମା କ୍ଷେତ୍ରରେ ଏହା ହୋଇଥାଏ । ବିପଦ ହ୍ରାସ ଲାଗି କିଛି ପୁରୁଣା ସାଟେଲାଇଟ୍କୁ ଗ୍ରେଭ୍ୟାର୍ଡ ଅର୍ବିଟ୍କୁ ପଠାଇ ଦିଆଯାଏ । ପୃଥିବୀଠୁ ଏହାର ଦୂରତା ୩୬୫୦୦ କିମି । ଏହା ସତ୍ତେ୍ୱ ବ୍ୟାପକ ପରିମାଣର ବର୍ଜ୍ୟ ନିମ୍ନ କକ୍ଷରେ ଫସିରହେ । କିଛି ବର୍ଜ୍ୟ ପୃଥିବୀ ବାୟୁମଣ୍ଡଳକୁ ଆସି ନଷ୍ଟ ହୋଇଯାଏ, କିନ୍ତୁ ଅନେକ ଛୋଟ ଖଣ୍ଡ ବର୍ଷ ବର୍ଷ ଧରି ମହାକାଶରେ ଘୂରି ବୁଲନ୍ତି ।
ଅଧିକ ପଢ଼ନ୍ତୁ :- କାବୁଲ-ଆଫଗାନିସ୍ତାନ ସୀମାରେ ପାକିସ୍ତାନର ଘନ ଘନ ଏୟାରଷ୍ଟ୍ରାଇକ୍, ୪ ମୃତ