ମନମୁଣ୍ଡା, ୨୮।୫ : ଅଭିନବ ଢଙ୍ଗରେ ଗଂଜେଇ ଚୋରା ଚାଲାଣ । ପୁଲିସ ନଜର ହଟାଇବା ପାଇଁ ଏକ କୋଇଲା ବୋଝେଇ ଟ୍ରକରେ ଭିତରେ ଗଞ୍ଜେଇ ଚାଲାଣ। ତେବେ କଣ୍ଟାମାଳ ପୁଲିସର ସନ୍ଦେହ ହେବାରୁ ଟ୍ରକ ଯାଞ୍ଚ କରିଥିଲା। ସେଥିରୁ ବାହାରିଥିଲା ଗଞ୍ଜେଇ ପ୍ୟାକେଟ। ୧୩. ୮୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ପୁଲିସ ୨ ଜଣଙ୍କୁ ଗିରଫ କରିଛି।
ଗଞ୍ଜେଇ ଚୋରା ଚାଲାଣକୁ ଦୃଷ୍ଟିରେ ରଖି କଣ୍ଟାମାଳ ପୁଲିସ ଅନେକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ବୁଧବାର ସକାଳ ସମୟରେ ଛକି ରହିଥିଲା। ବୁଧବାର ଏକ ୧୬ ଚକିଆ ଟ୍ରକ କଣ୍ଟାମାଳ - ଘଣ୍ଟାପଡା ରାସ୍ତାର ଉଦେପୁର ଛକ ଦେଇ ଯାଉଥିଲା। ପୁଲିସ ସନ୍ଦେହରେ ଟ୍ରକ୍କୁ ଅଟକାଇ ଥିଲା । ସେଥିରେ କୋଇଲା ଯାଉଥିବା କୁହାଯାଇଥିଲା । ଉକ୍ତ ରାସ୍ତାରେ କୋଇଲା ବୋଝେଇ ଟ୍ରକ ପ୍ରାୟତଃ ଚଳାଚଳ କରେ ନାହିଁ ଯାହାକି ପୁଲିସର ସନ୍ଦେହ ବଢ଼ିଥିଲା । ଟ୍ରକକୁ ଥାନାକୁ ପୁଲିସ ଆଣିଥିଲା। ଗୁରୁବାର ଟ୍ରକ ତନଖି କରାଯାଇଥିଲା। କୋଇଲା ଭିତରେ ପ୍ରଚୁର ପରିମାଣର ଗଞ୍ଜେଇ ପ୍ୟାକେଟ ଥିବା ପୁଲିସ ଦେଖିବାକୁ ପାଇଥିଲା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯାଇଥିଲା। ୧୩ କ୍ୱିଣ୍ଟାଲ ୮୫ କେଜି ଗଞ୍ଜେଇ ଥିବା ଆଇଆଇସି ବାସୁଦେବ ଭୋଇ କହିଛନ୍ତି। ଘଟଣାରେ ସଂପୃକ୍ତ ଗାଡ଼ିର ଡ୍ରାଇଭର ଓ ହେଲ୍ପରକୁ ପୁଲିସ ଗିରଫ କରିଛି।
ଆହୁରି ପଢନ୍ତୁ : ଘର ଭିତରକୁ ମାଡ଼ିଗଲା ପିକଅପ ଭ୍ୟାନ, ମହିଳା ମୃତ