ବାରଙ୍ଗ,୨୫/୦୫: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର ।  ପ୍ରାୟ ୧୦ ବର୍ଷର ବ୍ୟବଧାନ ପରେ ପ୍ରାଣୀ ଉଦ୍ୟାନରେ ୧୪ଟି ଘଡ଼ିଆଳ  କୁମ୍ଭୀର ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତି । ଆହୁରି ଛୁଆ ଥିବା ଅନୁମାନ  କରି ଖୁଆଡ଼ ଭିତରେ ବିଭିନ୍ନ ବାଲି ଗଦା ଖୋଳାଯାଇ ଖୋଜାଚାଲିଛି । 

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୨୦୧୫ ମସିହା ପରଠାରୁ ଭଲ ଅଣ୍ଡିରା ଘଡ଼ିଆଳ କୁମ୍ଭୀର ନଥିଲେ । ଯେଉଁମାନେ ଥିଲେ ସେମାନଙ୍କ ଦ୍ୱାରା ବଂଶ ବୃଦ୍ଧି ହୋଇପାରୁନଥିଲା । ଏହାକୁ ଲକ୍ଷ୍ୟରଖି ୨୦୨୧ ମସିହାରେ  ରାଜସ୍ଥାନ ଜୟପୁରର ନାହାରଗଡ଼  ପ୍ରାଣୀଉଦ୍ୟାନ ପାର୍କରୁ ଦୁଇଟି ପୁରୁଷ  ଘଡ଼ିଆଳ କୁମ୍ଭୀର ଅଣାଯିବା ପରେ ଖୁଆଡ଼ରେ ଗୋଟିଏ ଛଡ଼ାଯାଇଥିଲା । ଏବେ ସେହି କୁମ୍ଭୀରର ମିଳନ ପରେ ଏକାଧିକ କୁମ୍ଭୀର ମା’ ହୋଇଥିବା ଜଣାପଡ଼ିଛି ।  ଘଡ଼ିଆଳ କୁମ୍ଭୀର ଶୀତ ଋତୁ ଶେଷରେ ସଙ୍ଗମ କରି ଗ୍ରୀଷ୍ମକାଳରେ ନଦୀ ବାଲିରେ ଗାତ ଖୋଳି ପ୍ରାୟ ୩୦ରୁ ୫୦ ପାଖାପାଖି ଅଣ୍ଡା ଦେଇଥାନ୍ତି । ଦୁଇରୁ  ଅଢ଼େଇ ମାସ ମଧ୍ୟରେ ଅଣ୍ଡା ଫୁଟି ଛୁଆ ବାହାରନ୍ତି । ୧୯୮୦ ମସିହାରେ  ନନ୍ଦନକାନନ ପ୍ରାଣୀଉଦ୍ୟାନର ଆବଦ୍ଧ ଜଳାଶୟରେ ମାଈ ଘଡ଼ିଆଳ ଅଣ୍ଡାଦାନ  କରିଥିଲେ । ୭୦/୭୫ ଦିନ ପରେ ସେହି ଅଣ୍ଡାଫୁଟି ଛୁଆ ଜନ୍ମ ନେଇଥିଲେ ।