ଖଗରିଆ: ବିହାରର ଖଗରିଆ ଜିଲ୍ଲାରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ଯେଉଁଠି ଏକ କୋମଳମତୀ ୧୪ ବର୍ଷୀୟ ନାବାଳିକାକୁ ନିଶା ମିଶ୍ରିତ ପାନୀୟ ଦେଇ 6 ଜଣ ପୁରୁଷ ତାଙ୍କ ସହ ଗଣ ଦୁଷ୍କର୍ମ କରିଛନ୍ତି। ଘଟଣାଟି ଜିଲ୍ଲାର ଏକ ସ୍ଥାନୀୟ ନଦୀ ବନ୍ଧ ଉପରେ ଘଟିଛି। ଅଭିଯୁକ୍ତମାନେ ନାବାଳିକାଙ୍କ ସହ ପାଶବିକ ଅତ୍ୟାଚାର କରିବା ପରେ ତାଙ୍କୁ ସେଠାରେ ଫୋପାଡ଼ି ଚାଲି ଯାଇଥିଲେ।
ଉକ୍ତ ନାବିଳିକା ଜଣକ ସାରା ରାତି ସେଇ ନଦୀ ବନ୍ଧ ଉପରେ ସେମିତି ପଡି ରହିଥିଲେ। ପରଦିନ ସକାଳେ ତାଙ୍କର ଚେତା ଫେରିବା ପରେ ସେ ଘରକୁ ଫେରିଥିଲେ। ଘରେ ପହଞ୍ଚି ନିଜର ପରିବାରଜନଙ୍କୁ ସମସ୍ତ କଥା ଜଣାଇଥିଲେ। ପରିବାର ଲୋକ ଏକଥା ଜାଣିବା ପରେ ସ୍ଥାନିୟ ପୋଲିସ ଥାନାରେ ଏନେଇ ଅଭିଯୋଗ କରିଥିଲେ।
ସବୁଠୁ ବଡ କଥା ହେଉଛି ଗଣ ଦୁଷ୍କର୍ମରେ ସାମିଲ ଅଭିଯୁକ୍ତମାନଙ୍କ ମଧ୍ୟରେ ଉକ୍ତ ନାବାଳିକାର ଜଣେ ସମ୍ପର୍କିୟ ମଧ୍ୟ ସାମିଲ ଥିବା ଜଣାପଡିଛି। ଉକ୍ତ ବ୍ୟକ୍ତି ଜଣଙ୍କ କଥାବାର୍ତ୍ତା କରିବା ବାହାନାରେ ନାବିଳିକାଙ୍କୁ ଏକ ମଟରସାଇକେଲର ଯୋଗେ ନଦୀ ବନ୍ଧକୁ ନେଇଯାଇଥିଲେ। ନଦୀ ବନ୍ଧରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଅନ୍ୟ ୫ ଜଣ ମଧ୍ୟ ପ୍ରସ୍ତୁତ ରହିଥିଲେ। ତେବେ ଏହି ଘଟଣାରେ ସାମିଲ ସମସ୍ତ ବ୍ୟକ୍ତି ବର୍ତ୍ତମାନ ଫେରାର ଥିବା ଜଣାପଡିଛି।
ନାବିଳିକାଙ୍କ ପରିବାରଲୋକଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ ଏଆଇପିସି (Attempt to commit rape) ଅଧୀନରେ ଏକ ମାମଲା ରୁଜୁ କରିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜି ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଚିକିତ୍ସା ପାଇଁ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି।
ଏହି ଘଟଣା ବିହାରରେ ମହିଳା ଓ ନାବିଳିକାଙ୍କ ବିରୁଦ୍ଧରେ ବଢ଼ୁଥିବା ଅପରାଧକୁ ନେଇ ଚିନ୍ତା ସୃଷ୍ଟି କରିଛି। ସ୍ଥାନୀୟ ଅଧିକାରୀମାନେ ଘଟଣାର ତଦନ୍ତ ଜାରି ରଖିଛନ୍ତି।