ନୂଆଦିଲ୍ଲୀ, ୦୨/୦୭ : କିଏ ହେବେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ। ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ନିଜେ ବୌଦ୍ଧ ଧର୍ମଗୁରୁ ତେନଜିନ ଗ୍ୟାତ୍ସୋ। ୧୫ତମ ଉତ୍ତରାଧିକାରୀ ଚୟନକୁ ନେଇ ଦେଲେ ବଡ଼ ବୟାନ। କହିଲେ ତାଙ୍କ ମୃତ୍ୟୁ ପରେ ହେବ ଉତ୍ତରାଧିକାରୀଙ୍କ ନାମ ଘୋଷଣା। ତିବ୍ବତୀୟ ବୌଦ୍ଧ ପରମ୍ପରା ଅନୁସାରେ ହେବ ଚୟନ ପ୍ରକ୍ରିୟା। ଏଥିରେ ଚୀନର ରହିବନି କୌଣସି ଭୂମିକା। ଗାଦେନ ଫୋଡରଙ୍ଗ ଟ୍ରଷ୍ଟକୁ ଦେଲେ ଦାୟିତ୍ଵ।
ଦଲାଇ ଲାମା ସ୍ପଷ୍ଟ କରିଛନ୍ତି ଯେ, ଭବିଷ୍ୟତରେ ବି ଦଲାଇ ଲାମା ସଂସ୍ଥା ଜାରି ରହିବ। ପରବର୍ତ୍ତୀ ଦଲାଇ ଲାମାଙ୍କ ଚୟନ କେବଳ ଗାଦେନ ଫୋଡରଙ୍ଗ ଟ୍ରଷ୍ଟର ଆଧିକାର ରହିବ। ଏଥିରେ ଅନ୍ୟ କୌଣସି ବ୍ୟକ୍ତି, ସଙ୍ଗଠନ କିମ୍ଵା ସରକାର ହସ୍ତକ୍ଷେପ କରିବେ ନାହିଁ। ଚୟନ ପ୍ରକ୍ରିୟାରେ ଚୀନର ମଧ୍ୟ କୌଣସି ଭୂମିକା ନାହିଁ। ଏହି ସମୟରେ ସେ ୨୦୧୧ର ଏକ ପ୍ରତିଜ୍ଞା ବିଷୟରେ ମନେ ପକାଇଛନ୍ତି।
ଜୁଲାଇ ୬ରେ ଦଲାଇ ଲାମାଙ୍କ ୯୦ ବର୍ଷ ବୟସରେ ପାଦ ଥାପିବେ। ସେ ତାଙ୍କର ଏକ ପୁସ୍ତକ ଭଏସ୍ ଫର ଦ ଭଏସଲେସ୍ରେ ଲେଖିଛନ୍ତି ଯେ, ତାଙ୍କର ପରବର୍ତ୍ତୀ ଅବତାର ଚୀନ ବାହାରେ, ସ୍ଵତନ୍ତ୍ର ଦୁନିଆରେ ହେବ। ସମ୍ଭବତଃ ଭାରତ କିମ୍ଵା ଅନ୍ୟ କୌଣସି ଦେଶରେ ହୋଇପାରେ। ଯେଉଁଠାରେ ତିବ୍ବତୀୟ ବୌଦ୍ଧ ଧର୍ମର ସ୍ଵତନ୍ତ୍ରତା ରହିବ। ସେ କହିଛନ୍ତି ଯେ, ପୁନର୍ଜନ୍ମର ଉଦ୍ଦେଶ୍ୟ ମୋ କାମକୁ ଆଗକୁ ନେବା। ଏଥିପାଇଁ ନୂଆ ଦଲାଇ ଲାମା ଏକ ସ୍ଵତନ୍ତ୍ର ବିଶ୍ଵରେ ଜନ୍ମ ନେବେ। ଯାହାଦ୍ଵାରା ସେ ତିବ୍ବତୀୟ ବୌଦ୍ଧ ଧର୍ମର ନେତୃତ୍ଵ ଏବଂ ତିବ୍ବତୀୟ ଲୋକଙ୍କ ଆକାଂକ୍ଷାର ପ୍ରତୀକ ହୋଇପାରିବେ। ଗାଦେନ୍ ଫୋଡରଙ୍ଗ ଟ୍ରଷ୍ଟର ଜଣେ ବରିଷ୍ଠ ଅଧିକାରୀ ସମଦୋଙ୍ଗ୍ ରିନପୋଛେ କହିଥିଲେ କି ଦଲାଇ ଲାମାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି । ସେ ନିଜ ଉତ୍ତରାଧିକାରୀଙ୍କ ବାବଦରେ ଏ ପର୍ଯ୍ୟନ୍ତ କୌଣସି ଲିଖିତ ନିର୍ଦ୍ଦେଶ ଜାରି କରିନାହାନ୍ତି । ସେ ଆହୁରି କହିଥିଲେ କି ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପୁରୁଷ କି ମହିଳା ବି ହୋଇପାରନ୍ତି । ଏହି ପଦ ଲାଗି ତିକ୍ରତର ରାଷ୍ଟ୍ରୀୟତା ବାଧ୍ୟତାମୂଳକ ହେବନାହିଁ ।
ଚୀନ ଦଲାଇ ଲାମାଙ୍କ ଏହି ବୟାନଙ୍କୁ ଖାରଜ କରିଛି। ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମାଓ ନିଙ୍ଗ୍ କହିଛନ୍ତି ଯେ, ଦଲାଇ ଲାମାଙ୍କ ଉତ୍ତରାଧିକାରୀଙ୍କ ନାମରେ ଚୀନ୍ର ମୋହର ବାଜିବା ଅତ୍ୟନ୍ତ ଜରୁରି । ଚୀନ୍ରେ ଅନେକ ଶତାବ୍ଦୀର ପୁରୁଣା ଅନୁଷ୍ଠାନ ମାଧ୍ୟମରେ ଏହି ପ୍ରକ୍ରିୟାକୁ ସମ୍ପାଦନ କରାଯିବା ଆବଶ୍ୟକ । ସେ ଅଷ୍ଟାଦଶ ଶତାବ୍ଦୀରେ ଆରମ୍ଭ କରାଯାଇଥିବା ପ୍ରଥା ବାବଦରେ ବି ରେଖାଙ୍କିତ କରିଛନ୍ତି । ମାଓ ନିଙ୍ଗ୍ କହିଛନ୍ତି, ଚୀନ୍ ସରକାର ଧାର୍ମିକ ବିଶ୍ୱାସର ସ୍ୱତନ୍ତ୍ରତା ନୀତି ଲାଗୁ କରନ୍ତି । କିନ୍ତୁ ଧାର୍ମିକ ମାମଲା ପାଇଁ ବି ନିୟମ ରହିଛି ।