ନୂଆଦିଲ୍ଲୀ,୧୪।୮: ଉତ୍ତର ଭାରତରେ ପ୍ରବଳ ବର୍ଷା ପରେ ବନ୍ୟା ତାଣ୍ଡବ। ରାଜଧାନୀ ଦିଲ୍ଲୀ ସହ ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ଉପୁଜିଛି ସଙ୍ଗୀନ ବନ୍ୟା ସ୍ଥିତି। ବାଦଲଫଟା ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଏହା ମଧରେ ଜମ୍ମୁ-କଶ୍ମୀରର କିଶତଓ୍ବାଡା ଜିଲ୍ଲାରେ ବାଦଲ ଫଟା ବର୍ଷା ପରେ ତାଣ୍ଡବ। ପଢାର ଅଞ୍ଚଳରେ ଗୁରୁବାର ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଜିଲ୍ଲାର ଚଶୋତି ଅଞ୍ଚଳରେ ଘଟିଛି। ଦୁର୍ଘଟଣା ତୀର୍ଥଯାତ୍ରା ମାର୍ଗରେ ହୋଇଛି, ଯାହାଫଳରେ ପୁରା ଅଞ୍ଚଳରେ ଯାତ୍ରୀଙ୍କୁ ଆତଙ୍କରରେ ଦୌଡାଦୌଡି କରୁଥିବାର ଦେଖିବାକୁ ମିଳିଛି।‌ ଯେଉଁଠାରେ ବାଦଲଫଟା ବର୍ଷା ହୋଇଥିଲା ସେହି ରାସ୍ତା ମଛଲି ମାତା ମନ୍ଦିର ଆଡକୁ ଯାଇଛି। ଏହି ରୁଟ୍‌ରେ ପ୍ରତି ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଯାଇଥାନ୍ତି।

ଘଟଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏନେଇ ସେ  କିଶତଓ୍ବାଡାର କମିଶନର ପଙ୍କଜ କୁମାର ଶର୍ମାଙ୍କ ସହ କଥା ହୋଇଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ଏବେ ଏବେ ଜମ୍ମୁ-କଶ୍ମୀରରେ ବିରୋଧି ନେତା ଓ ସ୍ଥାନୀୟ ବିଧାୟକ ସୁନିଲ କୁମାର ଶର୍ମାଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି   ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ସବୁ ପ୍ରକାର ଚେଷ୍ଟା ଚାଲିଛି।  ସିଭିଲ, ପୋଲିସ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେପ‌ଟେ ହିମାଚଳରେ ମୂଷଳଧାରା ବର୍ଷା ସହ ଫ୍ଲାସଫ୍ଲଡ ସ୍ଥିତି ଭୟଙ୍କର କରିଛି। ଏହି କାରଣରୁ କୁଲ୍ଲୁ, ତୀର୍ଥନ ଘାଟି, ନିରମଣ୍ଡ ଓ ଶିମଲାର ରାମପୁରରେ ପ୍ରବଳ କ୍ଷୟକ୍ଷତି ହେଇଛି। ଫଳରେ ମଣିମହେଶ ଯାତ୍ରା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେଠାରେ ଶିମଲା ଓ ଚମ୍ବାରେ ପଥର ଖସି ଦୁଇଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଦିଲ୍ଲୀରେ ମଧ୍ୟ ଜୋରଦାର ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ବହୁ ଅଞ୍ଚଳରେ ପାଣି ରାସ୍ତାରେ ଚାଲୁଥିବାର ଜାମ୍ ଲାଗି ରହିଛି। ଦକ୍ଷିଣ ଦିଲ୍ଲୀର କାଲକାଜି ଅଞ୍ଚଳରେ ବର୍ଷାରେ ଗଛ ଭାଙ୍ଗି ଦୁଇ ବାଇକ ଚାଳକଙ୍କ ଉପରେ ଖସି ପଡିଥିଲା। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ଜମ୍ମୁ-କଶ୍ମୀରରେ ମଧ୍ୟ ବର୍ଷା-ବନ୍ୟା ସ୍ଥିତି ଖୁବ୍ ଭୟଙ୍କର ହୋଇଛି। କିଶତଓ୍ବାଡା, କାଶ୍ମୀର, ରାଜୌରି ଓ ମେଣ୍ଢର ଜିଲ୍ଲାରେ ବାଦଲଫଟା ବର୍ଷା ବନ୍ୟା ଆଣିଛି।