ଭୁବନେଶ୍ୱର, ୨୦।୨: ଦୁର୍ଘଟଣାରେ ଆହତଙ୍କୁ ୪୮ ଘଣ୍ଟା ନୁହେଁ ୭ ଦିନ ପାଇଁ ମାଗଣା ଚିକିତ୍ସା ମିଳିବ । ‘ପ୍ରଧାନମନ୍ତ୍ରୀ ରାହତ ଯୋଜନା’ରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ମଳିବ । ସରକାରୀ ହସ୍ପିଟାଲ ବ୍ୟତୀତ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲ୍ରେ ଆହତଙ୍କୁ ଚିକିତ୍ସା ମିଳିପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟ ସରକାର ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଘରୋଇ ହସ୍ପିଟାଲ୍ରେ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି । ୪୮ ଘଣ୍ଟା ଭିତରେ ଆହତଙ୍କ ଚିକିତ୍ସା ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉଥିଲା ରାଜ୍ୟ ସରକାର ନିଜସ୍ୱ ଫ୍ରି ଟ୍ରିଟ୍ମେଣ୍ଟ ଅଫ୍ ଟ୍ରମା ଫଣ୍ଡରୁ ବହନ କରୁଛନ୍ତି ।
ଏହା ବି ପଢ଼ନ୍ତୁ... ସାବଧାନ ! ଟୋଲ୍ଗେଟ୍ ପାର୍ ହେଲେ ଆପେ କଟିବ ଇ-ଚାଲାଣ: ଫାସ୍ଟ୍ୟାଗ୍ ଗାଏବ ହେବ ଟଙ୍କା
କେନ୍ଦ୍ର ସରକାର ନୂତନ ଭାବେ ଆହତଙ୍କୁ ୭ ଦିନ ପାଇଁ ଦେଢ଼ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଦେଢ଼ ଲକ୍ଷ ପରେ ଯଦି ଆଉ କିଛି ଚିକିତ୍ସା ପାଇଁ ଅର୍ଥ ଲାଗିବ, ବଳକା ଅର୍ଥକୁ ରୋଗୀଙ୍କୁ ଦେବାକୁ ପଡ଼ିବ । ହେଲେ ମିଳିଥିବା ସୂଚନା ଅନୁଯାୟୀ ଦେଢ଼ ଲକ୍ଷ ଟଙ୍କା ପରେ ଯେଉଁ ବଳକା ଅର୍ଥ ଲାଗିବ, ତାହାକୁ ରାଜ୍ୟ ସରକାର ବହନ କରିବା ପାଇଁ ଚିନ୍ତା କରୁଛନ୍ତି । ଦୁର୍ଘଟଣାର ଆହତଙ୍କୁ ଗୋଲ୍ଡେନ୍ ଆୱାର ଭିତରେ ଚିକିତ୍ସା କରିବା ଆବଶ୍ୟକ । ସେଥିପାଇଁ ସରକାରୀ ହେଉ ବା ଘରୋଇ ହସ୍ପିଟାଲ୍ ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଦିଆଯିବ । ରାଜ୍ୟ ସରକାର ମଧ୍ୟ ସରକାରୀ ଆମ୍ବୁଲାନ୍ସ ବ୍ୟତୀତ ଘରୋଇ ଆମ୍ବୁଲାନ୍ସରେ ଆହତଙ୍କୁ ମାଗଣା ହସ୍ପିଟାଲ ଆଣିବା ବ୍ୟବସ୍ଥା ହୋଇଛି ।
ଏନେଇ ରାଜ୍ୟ ସରକାର ୬୧୫ ଘରୋଇ ଆମ୍ବୁଲାନ୍ସ ସହିତ ଚୁକ୍ତି କରିଛନ୍ତି । ସେମାନଙ୍କୁ କଣ୍ଟ୍ରୋଲ ରୁମ୍ ସହିତ ଯୋଗାଯୋଗ ପାଇଁ ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣାସ୍ଥଳରେ ଯଦି ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଛି, ତାହେଲେ ନିକଟସ୍ଥ ଥିବା ଘରୋଇ ଆମ୍ବୁଲାନ୍ସ ଆହତଙ୍କୁ ନେଇ ଘରୋଇ ହସ୍ପିଟାଲ ଯିବ । ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତତ କରାଯାଇଛି । ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରୁ ଆହତ ଅନ୍ୟ ଆଡ଼କୁ ଚିକିତ୍ସା ପାଇଁ ନଯାଇ ବୁର୍ଲାରେ ହିଁ ଚିକିତ୍ସା ପାଇବେ । ‘ଏର୍ମଜେନ୍ସି ଆଣ୍ଡ ଟ୍ରମା କେୟାର’ ନାମରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ଦୁର୍ଘଟଣା ଜନିତ ମୃତ୍ୟୁହାର ୫୦% ରହିଛି । ରାଜ୍ୟରେ ବର୍ଷକୁ ପ୍ରାୟ ୧୨ ହଜାର ଦୁର୍ଘଟଣାରେ ୬ ହଜାର ଲୋକ ପ୍ରାଣ ହରାଉଛନ୍ତି । ଏହାକୁ ହ୍ରାସ କରିବା ଲାଗି ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି ।