କଟକ,୨୮।୭ : ଚଳନ୍ତା ବାଇକ୍ ଉପରେ ବିପଦପୂର୍ଣ୍ଣ ରିଲ୍ସ କରିବା ମହଙ୍ଗା ପଡିଲା। ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡରେ ପରିବହନ ବିଭାଗ। ଗାଡ଼ି ମାଲିକଙ୍କୁ ୧୬ ହଜାର ଟଙ୍କା ଜୋରିମାନା ଜାରି କରିଛି କଟକ ପରିବହନ ବିଭାଗ।
ଜଣେ ବ୍ୟକ୍ତି ତାଙ୍କ ଚଳନ୍ତା ବୁଲେଟ ଗାଡି ଆଗରେ ତାଙ୍କ ସ୍ତ୍ରୀଙ୍କୁ ବସାଇ ରିଲ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେବା ପରେ ଜଣେ ଯୁବକ ଗାଡ଼ି ନମ୍ବର ଓ ଭିଡିଓ ସହ ପୋଲିସ୍ ଡିଜି,କଟକ ଜିଲ୍ଲାପାଳଙ୍କୁ ଟ୍ବିଟ କରିଥିଲେ। ଏପରି ଆଇନ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏହାପରେ ଗାଡ଼ି ମାଲିକ କଟକ ଆଠଗଡ଼ ଅଞ୍ଚଳର ମୋହନ ସାହୁଙ୍କୁ କଟକ ଆରଟିଓ ୧୬ ହଜାର ଟଙ୍କା ଜୋରିମାନା କରିଛି।