ପାଳଲହଡା,୨୮/୦୫ (ଦ୍ବିଲୋକ ପାଲ୍) : ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା । ୧୪୯ନଂ ଜାତୀୟ ରାଜପଥ ପାଳଲହଡ଼ା ବାଇପାସ ନିକଟରେ ଅବକାରୀ ବିଭାଗ ଚଢ଼ାଉ କରି ଚୋରା ଗଞ୍ଜେଇ ବୋଝୋଇ ଏକ ପିକଅପ୍ ଭ୍ୟାନ୍କୁ ଜବତ କରିଛି । ଯାଞ୍ଚ ବେଳେ ସେଥିରୁ ୧୬୧ କିଲୋ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୧୦ ହଜାର ଟଙ୍କା ହେବ । ଏହାସହିତ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ୨ଜଣକୁ ଅବକାରୀ ବିଭାଗ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଛେଣ୍ଡିପଦା ଥାନା ମାଛକୁଟା ଗାଁର ମାନଭଞ୍ଜନ ଗଡ଼ନାୟକ(୩୭) ଓ ରବୀନ୍ଦ୍ର ସାହୁ (୬୦) । ଏହି ଚୋରା ଗଞ୍ଜେଇକୁ ସେମାନେ ଛେଣ୍ଡିପଦାରୁ ମୟୂରଭଞ୍ଜକୁ ଚାଲାଣ କରୁଥିଲେ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
ସୂଚନା ମୁତାବକ, ଛେଣ୍ଡିପଦା ଅଞ୍ଚଳରୁ ପାଳଲହଡ଼ା ଦେଇ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏନେଇ ବାରମ୍ୱାର ଅଭିଯୋଗ ହେଉଥିବା ବେଳେ ବୁଧବାର ଅନୁଗୁଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦେଶରେ ଉପ-ଅଧିକ୍ଷକ ନିଳାନ୍ଦ୍ରୀ ନାୟକଙ୍କ ତତ୍ତ୍ୱାବଧାନ ଓ ତାଳଚେର ଅବକାରୀ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁଙ୍କ ସହଯୋଗରେ ଅବକାରୀ ବିଭାଗ ଧରପଗଡ଼କୁ ଜୋରଦାର କରିଛି । ପାଳଲହଡ଼ା ଅବକାରୀ ଥାନା ଅଧିକାରୀ ନିରାକାର ଦେହୁରୀଙ୍କ ନେତୃତ୍ବରେ ଆଜି ସକାଳେ ପୂରା ଟିମ୍ ପାଟ୍ରୋଲିଂ କରିଥିଲା । ଏହି ସମାୟରେ ୧୪୯ ନମ୍ବର ଜାତୀୟ ରାଜପଥ ବାଇପାସ୍ ନିକଟରେ ଅବକାରୀ ଗାଡିକୁ ଦେଖି ପରିବା ପରିବହନ ଲେଖା ଥିବା ଏକ ପିକଅପ ଭ୍ୟାନ୍ ଦ୍ରୁତଗତି ସେଠାରୁ ଖସି ପଳାଇଯିବାକୁ ଚେଷ୍ଟା କରିଥିଲା । ହେଲେ ଅବକାରୀ ବିଭାଗର ଟିମ୍ ଗାଡିକୁ ପିଛା କରି ଅଟକାଇଥିଲା ।
ଯାଞ୍ଚ ବେଳେ ସେଥିରୁ ୬ ବସ୍ତା ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ଏହାର ଓଜନ ଏକ କ୍ବିଣ୍ଟାଲ୍ ୬୧ କିଲୋଗ୍ରାମ ହୋଇଥିବା ବେଳେ ଅନୁମାନିକ ମୂଲ୍ୟ ୧୬ ଲକ୍ଷ ୧୦ ହଜାର ଟଙ୍କା ହେବ । ଅବକାରୀ ବିଭାଗ ଗାଡ଼ି ଦୁଇ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଛେଣ୍ଡିପଦା ଥାନା ମାଛକୁଟା ଗାଁର ମାନଭଞ୍ଜନ ଗଡ଼ନାୟକ(୩୭) ଓ ରବୀନ୍ଦ୍ର ସାହୁ (୬୦) । ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଚୋରା ଗଞ୍ଜେଇ ସବୁ ଛେଣ୍ଡିପଦାରୁ ମୟୂରଭଞ୍ଜ ଯାଉଥିଲା । ଅନ୍ୟପଟେ ପିକଅପ୍ ଭ୍ୟାନଟି ଅନୁଗୁଳ ଗଣେଶ ବାରିକଙ୍କ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଚଢ଼ାଉରେ ପାଳଲହଡ଼ା ଅବକାରୀ ବିଭାଗର ଏଏସଆଇ ନରେନ୍ଦ୍ର ମହାନନ୍ଦିଆ, ଓ କନେଷ୍ଟବଳ ମନୋଜ କୁମାର ବେହେରା, ସସ୍ମିତା ସାହୁ ସାମିଲ ଥିଲେ।