ଭୁବନେଶ୍ୱର, ୧୭/୦୬ (ଶୁଭ୍ରଜିତ୍ ବଳିଆରସିଂହ) : ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ଯେତିକି ସମୟ ଆବଶ୍ୟକ ତାଠୁ ଢେର କମ୍ ସମୟରେ ପ୍ରସ୍ତୁତ ହେଲା । ଜାତୀୟ ସ୍ତରରେ ଏନ୍ସିଇଆରଟି ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାକୁ ୩ ରୁ ୪ ବର୍ଷ ଲାଗୁଛି । ଓଡ଼ିଶାରେ ଏସସିଇଆରଟି ମାତ୍ର ୬ ମାସରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରି ଛାପିବା ପାଇଁ ପଠାଇଦେଲେ । କେବଳ ସେତିକି ନୁହେଁ, ଚୂଡ଼ାନ୍ତ ସମୀକ୍ଷା ପାଇଁ କମିଟିର ସଦସ୍ୟମାନେ ପାଠ୍ୟପୁସ୍ତକକୁ ଆଦୌ ଦେଖିନାହାନ୍ତି । ଯେଉଁମାନେ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ନିୟୋଜିତ ହୋଇଥିଲେ ସେମାନଙ୍କୁ ଚାପ ଦିଆଯାଇ ତରତର କରି ବହି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଗଲା । ଫଳ, ହେଲା ଏଇଆ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଛପା ଯାଇଥିବା ବହିରେ ୧୬୭୮ଟି ଭୁଲ୍ ରହିଗଲା । ୨ କୋଟି ୯୮ ଲକ୍ଷ ବହି ପ୍ରସ୍ତୁତିରେ ପାଖାପାଖି ଦୁଇ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ବହି ଛାପିବା ପାଇଁ ଆହୁରି ୪୫ରୁ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସତେ ଯେମିତି ଏହା ବହି ଛପା ନୁହେଁ ତ ପିଲା ଖେଳ ।
ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଗତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରାଗଲା । ଏହାକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଙ୍ଗେ ସଙ୍ଗେ ଓଡ଼ିଶା ପାଠ୍ୟକ୍ରମ ରୂପରେଖବିଦ୍ୟାଳୟ ଶିକ୍ଷା -୨୦୨୫ କଲା । ଏଥିପାଇଁ ୧୯ ଜଣିଆ ଷ୍ଟିୟରିଂ କମିଟି ମଧ୍ୟ କରାଗଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମୋଟ୍ ୫୫ଟି ବହି ଛାପିବା ପାଇଁ ନିଷ୍ପତ୍ତି ହେଲା । ଏଥିପାଇଁ ଷ୍ଟିୟରିଂ କମିଟି ପାଠ୍ୟକ୍ରମ ପ୍ରସ୍ତୁତର ରୂପରେଖ କିପରି ରହିବ, କ’ଣ ନୂଆ ବିଷୟ ରଖାଯିବ, କ’ଣ ଭଲ ହୋଇପାରିବ ତାକୁ ନେଇ ମାନସ ମନ୍ଥନ କଲେ । ଷ୍ଟିୟରିଂ କମିଟିରେ ଥିବା ଶିକ୍ଷାବିତ୍ମାନେ ଶିକ୍ଷାବ୍ୟବସ୍ଥାରେ କିପରି ପରିବର୍ତ୍ତନ ଆସିବ, ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବେ ତାକୁ ନେଇ ମାର୍ଗଦର୍ଶନ ଦେବାକୁ ଘନ ଘନ ବୈଠକ ମଧ୍ୟ କରିଛନ୍ତି । ନିଷ୍ପତ୍ତି ଥିଲା ଏନସିଇଆରଟିର ପାଠ୍ୟପୁସ୍ତକ ଢାଞ୍ଚାରେ ଆମର ପ୍ରସ୍ତୁତ ହେଉଥିବା ଏସସିଇଆରଟି ପାଠ୍ୟପୁସ୍ତକକୁ ବିକଶିତ କରାଯିବ । ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ସଂପୂର୍ଣ୍ଣ ଦାୟିତ୍ୱ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) କୁ ଦିଆଗଲା ।
ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ପ୍ରତି ବିଷୟର କମିଟି ଗଠନ ହୋଇଛି । ଏଥିପାଇଁ ସଂପାଦକ ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ, ବିଷୟ ବିଶେଷଜ୍ଞ ରଖାଯାଇଥିଲା । ଏଥିସହ ସଂଯୋଜକ ଓ ମୁଖ୍ୟ ସଂଯୋଜକ ମଧ୍ୟ ନିୟୋଜିତ ଥିଲେ । ବିଷୟକୁ ଆଧାର କରି ସଂପାଦନା ପାଇଁ ୫ରୁ ୭ ଜଣଙ୍କୁ ନିୟୋଜିତ କରାଯାଇଥିଲା । ପ୍ରତି ବିଷୟରେ ୫ରୁ ୬ ଜଣଙ୍କୁ ସମୀକ୍ଷକ ଭାବେ ରଖାଯାଇଥିଲା । ଏହାବାଦ୍ କୋର୍ କମିଟିରେ ୫ ଜଣ ବରିଷ୍ଠ ବିଶେଷଜ୍ଞ, ଶିକ୍ଷାବିତଙ୍କୁ ନିୟୋଜିତ କରାଯାଇଥିଲା । ଅଧିକାରୀଙ୍କ କହିବା କଥା, ପ୍ରଥମତଃ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୀଘ୍ର ପାଠ୍ୟପୁସ୍ତକ ପ୍ରସ୍ତୁତି କରିବା ପାଇଁ ଏନସିଇଆର ବହିକୁ ସଂପୂର୍ଣ୍ଣ ଭାବେ ୮୫ରୁ ୯୦ ପ୍ରତିଶତ ଅନୁବାଦ କରାଯାଇଛି । ବାକି ୧୦ରୁ ୧୫ ପ୍ରତିଶତ କମିଟିରେ ଥିବା ବିଶେଷଜ୍ଞମାନେ ଯୋଡ଼ିଛନ୍ତି । ପ୍ରଥମେ ପାଠ୍ୟପୁସ୍ତକ ବିକାଶ ପାଇଁ ୨ଟି କର୍ମଶାଳା ହୋଇଛି । ଏଥିରେ କ’ଣ ସବୁ ବିଷୟ ରହିବ ତାକୁ ଆଲୋଚନା ହୋଇଛି । ପ୍ରଥମେ ଅନୁବାଦ ହୋଇଛି । ପରେ ଏହାକୁ ସମୀକ୍ଷା କରାଯାଇଛି । କିଛି ବିଶେଷଜ୍ଞ ସଂଶୋଧନ କରି ଦେବା ପରେ ଡିଟିପି ପାଇଁ ଗଲା । ଡିଟିପି ହୋଇ ଆସିବା ପରେ ଏହାକୁ ପ୍ରୁଫ୍ ରିଡିଂ କରାଗଲା । ଏହା ପରେ ଏକ୍ସପର୍ଟ ରିଭ୍ୟୁ ହୋଇଛି । ଶେଷରେ କୋର କମିଟି ରିଭ୍ୟୁ କରାଗଲା । କୋର କମିଟି ଅନୁମୋଦନ କରିବା ପରେ ବହି ଛପା ହେବାକୁ ଗଲା । ଅଭିଯୋଗ ହୋଇଛି, ପ୍ରଥମେ ଏକ କମିଟି ବହିରେ କ’ଣ ରହିବ ଓ କ’ଣ ଯୋଡ଼ାଯିବ ତାହା ଚୂଡ଼ାନ୍ତ କରିବା କଥା । ମାତ୍ର ସେପରି କିଛି ହୋଇନି । ଡିଟିପି ହୋଇ ଆସିବା ପରେ ସମୀକ୍ଷା କରାଯିବା କଥା । ମାତ୍ର ଏଠାରେ ଆଗ ସମୀକ୍ଷା ହୋଇ ଡିଟିପି କରିବାକୁ ଦିଆଗଲା । ପ୍ରୁଫ୍ ରିଡିଂ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଗଲାନି । ସୀମିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଲେ । ବିଶେଷଜ୍ଞମାନଙ୍କୁ ଗୋଟିଏ ଦିନରେ ଗୋଟିଏ ବହି ସମୀକ୍ଷା କରିବାକୁ କୁହାଗଲା ।
ଅଭିଯୋଗ ଏହା ମଧ୍ୟ ହୋଇଛି ଏସସିଇଆରଟିର ବରିଷ୍ଠ ଅଧିକାରୀ ଚାପ ଦେଇ ତରତର କରି ପାଠ୍ୟପୁସ୍ତକ ପ୍ରସ୍ତୁତ କରିଛନ୍ତି । ଏପରିକି ଓସେପା ବହି ଛପା ହେବା ପୂର୍ବରୁ ଏସସିଇଆରଟି ପ୍ରସ୍ତୁତ କରିଥିବା ପାଠ୍ୟପୁସ୍ତକକୁ ସମୀକ୍ଷା ନକରି ପ୍ରକାଶନ ପାଇଁ ପଠାଇ ଦେଇଥିଲା ବୋଲି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି । ବିଭାଗୀୟ ଅଧିକାରୀଙ୍କ କହିବା କଥା, ମାତ୍ର ୫ରୁ ୭ଟି ବଡ଼ ଭୁଲ ରହିଛି । ବାକି ଅନ୍ୟ ଭୁଲ୍ ସାମାନ୍ୟ ରହିଛି । ଏଥି କଥା ଉଠୁଛି, ତରତର ହୋଇ ବହି ଛାପିଲେ, ଠିକ୍ ସମୟରେ ବହି ଦେଇପାରିଲେ ନାହିଁ । କୋଟି କୋଟି ଟଙ୍କା ପାଣିରେ ପକାଇଲେ । ଏଥିପାଇଁ ଯିଏ ଦାୟୀ ତାଙ୍କ ବିରୋଧରେ ସରକାର କଣ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଶିକ୍ଷକ ସଂଘ ପ୍ରଶ୍ନ କରିଛି ।
ଆହୁରି ପଢନ୍ତୁ- ଯନ୍ତ୍ରଣା ସହି ନପାରି ଝୁଲିପଡ଼ିଲେ ଏମ୍ସ ଡାକ୍ତରାଣୀ, ରୁମ୍ରୁ ମିଳିଲା ସୁଇସାଇଡ୍ ନୋଟ୍
ବହିରେ ଭୁଲ୍ କେମିତି ହେଲା,ଓଡ଼ିଆ ସ୍କୁଲର ମାନ ହ୍ରାସ ହେଉଛି..ତୁରନ୍ତ କାର୍ଯ୍ୟନୁଷ୍ଠାନ