ବ୍ରହ୍ମପୁର,୧୭/୦୪: କାର୍ଯ୍ୟରୁ ଅବ୍ୟାହତି ଦେବାକୁ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧୀନ ସମସ୍ତ ସିଆର୍ସିସି (କ୍ଲଷ୍ଟର୍ ରିସୋର୍ସ ସେଣ୍ଟର୍ କୋଅର୍ଡିନେଟର୍) ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ ପତ୍ର ଦେଇଥିବା ଜଣାଯାଇଛି । ସରକାରଙ୍କ କାର୍ଯ୍ୟକ୍ରମ ସହ ଶିକ୍ଷାଦାନ, ଶିକ୍ଷା ପ୍ରଶାସନର ଅତିରିକ୍ତ କାମରେ ଅତିଷ୍ଠ ହୋଇ କାର୍ଯ୍ୟରୁ ଅବ୍ୟାହତି ଆବେଦନ କରିଥିବା କୁହାଯାଉଛି ।
ଅବ୍ୟାହତି ଆବେଦନ କଥାକୁ ଜିଲ୍ଲା ଶିକ୍ଷା ବିଭାଗର ଜଣେ ଅଧିକାରୀ ସ୍ୱୀକାର କରିଛନ୍ତି । କାର୍ଯ୍ୟ ଚାପ ନୁହେଁ, ଏହି ଆବେଦନ ପଛରେ ଭିନ୍ନ କାରଣ ରହିଥିବା ସେ କହିଛନ୍ତି । ଦୈନନ୍ଦିନ କାର୍ଯ୍ୟ, ଅଫିସ୍ ରେକର୍ଡ, ବ୍ୟୟ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ ସଂକ୍ରାନ୍ତୀୟ କାର୍ଯ୍ୟକଳାପକୁ ନେଇ ଅବ୍ୟାହତି ଆବେଦନ କରିଥିବା ଆଲୋଚନା ହେଉଛି । ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧୀନରେ ୧୭ ଜଣ ସିଆର୍ସିସି କାର୍ଯ୍ୟରତ । ଶିକ୍ଷାଦାନ ସହ ଶିକ୍ଷା ପ୍ରଶାସନିକ ସହ ସମନ୍ୱୟ ରଖି ଶୃଙ୍ଖଳିତ ସ୍କୁଲ ପରିଚାଳନା ସିଆର୍ସିସିଙ୍କ ଦାୟିତ୍ୱ ଅନ୍ତର୍ଭୁକ୍ତ । କିନ୍ତୁ ଆକସ୍ମିକ ଭାବେ ଦାୟିତ୍ୱ ମୁକ୍ତ କରିବାକୁ ସମସ୍ତ ସିଆର୍ସିସି ଜିଲ୍ଲା ଶିକ୍ଷା ବିଭାଗକୁ ଲିଖିତ ଜଣାଇଛନ୍ତି । ଆବେଦନ ବିଷୟକୁ ଜଣେ ସିଆର୍ସିସି ମଧ୍ୟ ସ୍ୱୀକାର କରିଛନ୍ତି । କିନ୍ତୁ ଆବେଦନର କାରଣ କହିବାକୁ ମନା କରିଛନ୍ତି ।