ଭୁବନେଶ୍ଵର,୧୮/୯ : ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ଟି ବନ୍ଧ, ୧୫ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪ ବ୍ୟାରେଜ । ଏଥିପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ ଦ୍ବାରା ନିର୍ମିତ ଜଳସେଚନ ପ୍ରକଳ୍ପ, ବିଭିନ୍ନ ଶିଳ୍ପ ଭିତ୍ତିକ ବ୍ୟାରେଜ, ଆନିକଟ ଇତ୍ୟାଦି ନିର୍ମାଣ ହେବା ପରେ ଜଳସଂକଟର ମୁକାବିଲା ପାଇଁ ଓଡ଼ିଶା ସରକାର ନ୍ୟାୟିକ, ପ୍ରଶାସନିକ ଓ ରାଜନୈତିକ ସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ମହାନଦୀ ଜଳ ବିବାଦର ସମାଧାନ ନେଇ ଆଶା ଜାଗି ଉଠିଛି । ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଜଳ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟ ସଚିବସ୍ତରୀୟ ଆଲୋଚନା ହୋଇ ସାରିଛି । ଦୁଇ ରାଜ୍ୟର ମୁଖ୍ୟଯନ୍ତ୍ରୀଙ୍କ ମଧ୍ୟ ଅଲୋଚନା ହୋଇଛି । ନିକଟରେ ଟ୍ରିବ୍ୟୁନାଲ ଶୁଣାଣି ସମୟରେ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ସରକାର ଗୁରୁତ୍ଵାରୋପ କରିଛନ୍ତି।