ଆନନ୍ଦପୁର, ୦୩/୦୯: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଟୁକୁଣା ହାଟରେ ଚାଲିଥିଲା ବେଆଇନ ଗୋରୁ ଚାଲାଣ । ବେଆଇନ ଗୋରୁ ହାଟରେ ଗୋରୁ ଚାଲାଣ ସମୟରେ ମାଡ଼ିବସିଲା ପୁଲିସର ସ୍ପେଶାଲ ସ୍କ୍ବାଡ୍ । ୧୭୪ ଗୋରୁ ସମେତ ୨ ପିକଅପ୍ ଭ୍ୟାନ୍, ଗୋଟିଏ କାର୍ ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ୧୧ ଜଣଙ୍କୁ ଅଟକ ରଖାଯାଇଛି ।
ମଙ୍ଗଳବାର ଘଷିପୁରା ଥାନା ଟୁକୁଣା ଗାଁର ହାଟ ଚାଲିଥିବା ବେଳେ ସେଠାରେ ବେଆଇନ ଗୋରୁ ଚାଲାଣ ହେଉଥିବାର ଖବର ପାଇଥିଲା ସ୍ପେଶାଲ ସ୍କ୍ବାଡ୍। ଖବର ପାଇ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା । ଚଢାଉରେ ଗୋରୁ ନେବା ପାଇଁ ଆସିଥିବା ଦୁଇଟି ପିକଅପ୍ ଭ୍ୟାନ୍ ଓ ଗୋରୁ ବେପାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ କାର୍ ଜବତ କରିବା ସହିତ ୧୭୪ ଗୋରୁଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ୧୧ ଜଣକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ। ସ୍ଥାନୀୟ ପୁଲିସ ଏସବୁ ଘଟଣା ଉପରେ ତତ୍ପରତା ଦେଖାଇଲେ ବେଆଇନ ଗୋଚାଲାଣ ଉପରେ ରୋକ ଲାଗି ପାରନ୍ତା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।