କୁତ୍ରା,୨୦/୧୧: ସୁନ୍ଦରଗଡ ଜିଲ୍ଲା କୁତ୍ରା ବସ୍ ଷ୍ଟାଣ୍ଡ ନିକଟ ବିଜୁ ଏକ୍ସପ୍ରେସ ୱେ ଉପରେ ହେଉଥିଲା ବେଆଇନ ଗୋଚାଲାଣ । ମାଡ଼ିବସିଲା ପୁଲିସ । ଅତର୍କିତ ଚଢ଼ାଉ କରି ୧୮୦ଟି ବଳଦଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଚାଲାଣକାରୀଙ୍କୁ ଅଟକ ରଖିଛି ପୁଲିସ।
ସୂଚନା ମୁତାବକ, କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ଗ୍ରାମର ନିୟମିତ ଭାବେ କିଛି ଗୋ ବ୍ୟବସାୟୀ ବେଆଇନ ଗୋ ଚାଲାଣ କରିଆସୁଛନ୍ତି । ବୁଧବାର ସମ୍ବଲପୁର ଜିଲ୍ଲା ଝରିଆ ବାହାଲ ଗୋ ହାଟରୁ ବହୁ ସଂଖ୍ୟାରେ ବଳଦ କିଣି ରାସ୍ତାରେ ଚଲେଇ ଚଲେଇ ଖତକୁରବାହାଲ ଗ୍ରାମକୁ ନେଉଥିଲେ । ଏସମ୍ପର୍କରେ ଖବର ପାଇ କୁତ୍ରା ବସ୍ ଷ୍ଟାଣ୍ଡ ନିକଟରେ କୁତ୍ରା ପୁଲିସ ଭୋର ୩ଟା ସମୟରେ ଅତର୍କିତ ଭାବେ ଚଢାଉ କରିଥିଲା। ସେଠାରୁ ଚାଲାଣ ହେଉଥିବା ୧୮୦ ଟି ବଳଦଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଏହି ଚାଲାଣ କାର୍ଯ୍ୟରେ ନିୟୋଜିତ ୩ ଜଣଙ୍କୁ ପୁଲିସ ଧରିବା ପାଇଁ ସକ୍ଷମ ହୋଇଥିବା ବେଳେ ପ୍ରାୟ ୧୦ ଜଣ ସେଠାରୁ ଦୌଡ଼ି ପଳାଇଥିଲେ। ଦୀର୍ଘ ବର୍ଷରୁ ଖତକୁରବାହାଲ ଗ୍ରାମର ଗୋ ବ୍ୟବସାୟୀ ମାନେ ବେଆଇନ ଭାବେ ଗୋ ଚାଲାଣ କରି ଆସୁଥିବା ବେଳେ ଗତ କିଛି ମାସ ହେଲା ପୁଲିସ ପ୍ରଶାସନ ପକ୍ଷରୁ ଏହି ବେଆଇନ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରଯାଉଥିବା ଦେଖିବାକୁ ମିଳୁଛି । ଆଜି ଉଦ୍ଧାର ହୋଇଥିବା ବଳଦମାନଙ୍କୁ ପୁଲିସ ଗୋଶାଳାକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନେଉଛି।