ନୂଆଦିଲ୍ଲୀ,୧୯।୧୧: ୟୁକ୍ରେନ ମଙ୍ଗଳବାର ବିଳମ୍ବିତ ରାତିରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୬୬ ଜଣ ଆହତ ହୋଇଛନ୍ତି। ଏହି ହମଲା ରୁଷ ପକ୍ଷରୁ ୟୁକ୍ରେନର ଶକ୍ତି ଓ ପରିବହନ ଢାଞ୍ଚାକୁ ବହୁ ପରିମାଣରେ ନଷ୍ଟ କରିବା ନେଇ ହୋଇଥିଲା। ଏହି କାରଣରୁ ବହୁ ଅଞ୍ଚଳରେ ଜରୁରୀକାଳୀନ ଭାବରେ ବିଦ୍ୟୁତ କାଟିବାକୁ ପଡିଥିଲା। ଲିଭିଭ୍, ଖାର୍କିଭ ଓ ଇଭାନୋ-ଫ୍ରାଙ୍କିକ୍ସ ଭଳି ଅନ୍ୟ ସହରରେ ମଧ୍ୟ ହମଲା ହୋଇଛି। କିନ୍ତୁ ସବୁଠାରୁ ଅଧିକ ନାଗରିକଙ୍କ ମୃତ୍ୟୁ ପଶ୍ଚିମ ସହର ଟେରନୋପିଲ୍‌ରେ ହୋଇଛି।

ଏହି ଆକ୍ରମଣ ଏଭଳି ସମୟରେ ହୋଇଛି ଯେତେବେଳେ ୟୁକ୍ରେନ୍ ରାଷ୍ଟ୍ରପତି ବ୍ଲାଡିମିର ଜେଲେନସ୍କି ରୁଷ ଉପରେ ଚାପ ପକାଇବା ପାଇଁ ତୁର୍କୀରେ କୁଟନୈତିକ ଆଲୋଚନା କରିବାକୁ ଯାଉଛନ୍ତି। ଗୃହମନ୍ତ୍ରୀ ଇହୋର କ୍ଲିମିକୋଙ୍କ ଅନୁସାରେ, ଟେରନୋପିଲରେ ରାତିରେ ଦୁଇ ମହଲା ବିଲ୍ଡି ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୬୬ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯାହାଙ୍କ ଭିତରେ ଶିଶୁ ମଧ୍ୟ ଅଛନ୍ତି। ୟୁକ୍ରେନ୍ ବାୟୁସେନାର କହିବା ଅନୁସାରେ, ରୁଷ ରାତିସାରା ୪୭୬ ଡିକୟ ଡ୍ରୋନ୍ ଓ ବିଭିନ୍ନ ପ୍ରକାର ୪୮ ମିସାଇଲ୍ ମାଡ଼ କରିଛି।

ଜେଲେନସ୍କି ଟେଲିଗ୍ରାମରେ ଲେଖିଛନ୍ତି, ସାଧାରଣ ନାଗରିକଙ୍କ ଜୀବନ ଉପରେ ଏହି ଆକ୍ରମଣ କରାଯାଇଛି। ଏହା ଖୁବ୍ ଲଜ୍ଜାଜନକ ଆକ୍ରମଣ। ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କୁ କୁଟନୈତିକ ରୂପରେ ଅଲଗା କରିବା ଓ ତାଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବଢାଇବା ପାଇଁ ତୁର୍କୀ ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଅନଙ୍କୁ ସାକ୍ଷାତ କରିବାକୁ ଯାଉଛି।’

ୟୁକ୍ରେନ୍‌ର ଦ୍ବିତୀୟ ସବୁଠାରୁ ବଡ଼ ସହର ଉତ୍ତର-ପୂର୍ବ ଖାର୍କିଭରେ ରୁଷ ଡ୍ରୋନ୍ ହମଲାରେ ଦୁଇ ଝିଅଙ୍କ ସହିତ ୪୬ ଜଣ ଆହତ ହୋଇଥିଲେ। ଖାର୍କିଭରେ ସାମରିକ ପ୍ରଶାସନର ପ୍ରମୁଖ ଓଲାହ ସିନିହୁଭୋବ ଟେଲିଗ୍ରାମ୍‌ରେ କହିଛନ୍ତି, ଡ୍ରୋନ୍ ଆକ୍ରମଣରେ ଅତି କମ୍‌ରେ ୧୬ ଆବାସିକ ଭବନ, ଗୋଟିଏ ଆମ୍ବୁଲାନ୍ସ ଷ୍ଟେସନ୍, ସ୍କୁଲ ଓ ଅନ୍ୟ ନାଗରିକ ଢାଞ୍ଚାକୁ ଟାର୍ଗେଟ କରାଯାଇଛି।