ମାଲକାନଗିରି,୧୦/୧୧(ଆପ୍ର ) :  ମାଲକାନଗିରି ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସହ ୧୯୫ଡାକ୍ତର ଓ ୪୭ଜଣ ବିଶେଷଜ୍ଞ ପଦବୀ  ଖାଲି ପଡିଛି। ଫଳରେ  ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇ ପାରୁନାହାନ୍ତି। ସେମାନଙ୍କ ପାଇଁ ସାହା ଭରସା ପାଲଟିଛି ସୁଦୂର କୋରାପୁଟ, ବିଶାଖାପାଟଣା ହସ୍ପିଟାଲ, ନଚେତ କ୍ଵାକ ଓ ଦିଶାରୀଙ୍କ ଚିକିତ୍ସା ।

ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାକୁ ଲାଗୁଛି। ଜିଲ୍ଲା ସଦରମହକୁମାରେ ସାତମହଲା ବିଶିଷ୍ଟ ହସପିଟାଲ ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଠିକ ଭାବେ ଭିତ୍ତିଭୂମି ଓ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି। ୧୯୫ଜଣ ଡାକ୍ତର ଓ ୪୭ଜଣ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ବର୍ଷ ବର୍ଷ ଧରି ଖାଲିପଡିଛି । ବିଶେଷ କରି ଦୀର୍ଘ ବର୍ଷ ହେଲା ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ନଥିବାରୁ  ଦୁର୍ଘଟଣା ଗସ୍ତ,  ହାଡଭଙ୍ଗା ରୋଗୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି।  ଏମିତିକି ହାଡ଼ ଭଙ୍ଗା ରୋଗୀ ମାନଙ୍କ ଛୋଟ ଛୋଟ ଅପରେସନ ପାଇଁ ମଧ୍ୟ କୋରାପୁଟ କିମ୍ବା ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାକୁ ପଡୁଛି । ଯାହା ଫଳରେ ଗରିବ ରୋଗୀମାନେ ଅଯଥାରେ ଖର୍ଚ୍ଚାନ୍ତ ହେବା ସହ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମାଲକାନଗିରି ଜିଲ୍ଲାରେ ମୋଟ ୩୨୪ଜଣ ଡାକ୍ତରଙ୍କ ଆବଶ୍ୟକ‌ତା ଥିବାବେଳେ ମାତ୍ର ୧୨୯ଜଣ ଡାକ୍ତର ଅଛନ୍ତି।  ୧୯୫ ଡାକ୍ତର ପଦବୀ ଖାଲି ପଡିଛି । ଠିକ ସେହିପରି ବିଭିନ୍ନ ବିଭାଗର ୫୮ଜଣ ବିଶେଷଜ୍ଞ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୧୧ ଜଣ ଡାକ୍ତର ଅଛନ୍ତି। ୪୭ଟି ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘ ବର୍ଷ ହେଲା ଖାଲିପଡିଛି । ଜିଲ୍ଲା ହସ୍ପିଟାଲ ସହିତ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସ୍ଥି ଶଲ୍ୟ, ଆନ୍ଥେସିଆା, ସର୍ଜରି, ଶିଶୁ , ନାଶା ଓ କର୍ଣ୍ଣ ବିଭାଗ, ଟିବି, ସାଇକେଟ୍ରିଆ, ଗାଇନିକ, ରେଡିଓଲୋଜି, ପାଥୋଲିଜ ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାଁନ୍ତି।  ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୨ ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲିପଡିଛି।  ଜିଲ୍ଲା ହସପିଟାଲରେ ୨୬ଜଣ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ପଡ଼ୁଥିବାବେଳେ ଅଛନ୍ତି ମାତ୍ର ୧୧ଜଣ। ୧୫ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲିପଡିଛି ।ବିଶେଷ କରି ଅସ୍ଥି ଶଲ୍ୟ ଓ ଆନ୍ଥେସିଆ ବିଶେଷଜ୍ଞ ଡାକ୍ତର ନଥିବାରୁ ଶତାଧିକ ରୋଗୀ ଉପଯୁକ୍ତ ଚିକିତ୍ସା ହୋଇ ନପାରି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩୯୧ ଜଣ ଡେଣ୍ଟାଲ ସର୍ଜନ ରହିବା ସ୍ଥଳେ ମାତ୍ର ୧୪୫ଜଣ ଅଛନ୍ତି, ୨୪୬ଟି ଦାନ୍ତ ଡାକ୍ତର ପଦବୀ ଅନେକ ବର୍ଷ ହେଲା ଖାଲି ପଡିଛି ।

ଠିକ ସେହିପରି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ପଦବୀ ଖାଲି ପଡିଛି। ୪୨୫ଜଣ ନର୍ସିଂ ଅଫିସର ରହିବା ସ୍ଥଳେ ଅଛନ୍ତି ମାତ୍ର ୨୦୨ଜଣ ୨୨୩ଟି ପଦବୀ ଖାଲି ପଡିଛି । ବଣ୍ଡାଘାଟି, ଦୁର୍ଗମ ଚିତ୍ରକୋଣ୍ଡା ବିଛିନ୍ନାଚଂଳ କଥା କହିଲେ ନ ସରେ ସେଠାରେ ଡାକ୍ତର କେମିତି ଓ ସରକାରୀ ସ୍ୱାସ୍ଥ୍ୟସେବା କଣ ବୋଲି ଅଧିକାଂଶ ଗ୍ରାମବାସୀ ଜାଣନ୍ତି ନାହିଁ ।

ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛରେ ପଡିଛି। ଡାକ୍ତର ଅଭାବରୁ ଶିଶୁ ମାତୃ ମୃତ୍ୟୁହାର ବଢିବା ସହିତ ରୋଗୀମାନେ ଚିକିତ୍ସା ସେବା ନପାଇ ମୃତ୍ୟୁମୁଖରେ ପଢୁଛନ୍ତି । ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ଅଧୋଗତି ଆଡକୁ ଗତି କରୁଛି ।ସେଥିପାଇଁ ଆଦିବାସୀ ଗ୍ରାମବାସୀମାନେ ସରକାରୀ ଡାକ୍ତରଖାନା ଉପରେ ଭରସା ତୁଟାଇ ଦିଶାରି, ଗୁଣିଆ ଓ କ୍ଵାକ ମାନଙ୍କ ଉପରେ ଭରସା କରୁଛନ୍ତି।

ସ୍ଵାସ୍ଥ୍ୟ ବିଭାଗରେ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲିପଡିବା ସଂପର୍କରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ବ୍ରଜବନ୍ଧୁ ଦାଶଙ୍କୁ ପଚାରିବାରୁ ଜିଲ୍ଲାରେ ଏବେବି ୧୯୫ଟି ଡାକ୍ତର ଓ ୪୭ଟି ବିଶେଷଜ୍ଞ ଡାକ୍ତର ପଦବି ସହିତ ୮୬୫ ଟି ଅନ୍ୟାନ ସ୍ବାସ୍ଥ୍ୟ ବିଭାଗ କର୍ମଚାରି ପଦବି ଖାଲିପଡିଛି। ତଥାପି ସ୍ୱଳ୍ପସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ସେବା ସୁଚାରୁଭାବେ ଚାଲିଛି, ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦିଆ ଯାଉଛି । ଅନେକ ଦୁର୍ଗମ ଅପହଞ୍ଚ ଗ୍ରାମଗୁଡିକରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଉଛି । ଜିଲ୍ଲାରେ ଖାଲିପଡିଥିବା ଡାକ୍ତର ଓ ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ପଦବୀ ଗୁଡିକ ଖୁବ ଶିଘ୍ର ପୁରଣ କରିବା ପାଇଁ ରାଜ୍ୟ ସରାକାର ଓ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ପଠାଯାଇଛି। ମାଲକାନଗିରି ଜିଲ୍ଲାରେ ଥିବା ସ୍ଵଳ୍ପ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଉଲ୍ଲେଖନୀୟ ସଫଳତା ପାଇଁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୁଇ ଦୁଇ ଥର ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି ବୋଲି ଏଡିଏମଓ ଡାକ୍ତର ଶ୍ରୀ ଦାଶ କହିଛନ୍ତି ।