ନୟାଗଡ଼/ଅନୁଗୋଳ, ୨୬/୧୧ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପିଏସ୍ଓଙ୍କ କାର୍ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ୪ ଗୁରୁତର ୨ ଆହତ। ଚିକିତ୍ସା ପାଇଁ ମନ୍ତ୍ରୀଙ୍କ ଭଉଣୀ ନବରଙ୍ଗପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଦଶପଲ୍ଲା ଥାନା ରଙ୍ଗମାଟିଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ସକାଳୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ସେପଟେ ଡ୍ରାଇଭର୍ ମୁର୍ଚ୍ଛା ହୋଇଯିବାରୁ ସମ୍ବଲପୁର ୫୫ ନଂ ଜାତୀୟ ରାଜପଥ ଜରପଡ଼ା ଥାନା ଜେରେଙ୍ଗ୍ ଦେହୁରୀସାହି ଗାଁରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନୁଗୋଳରୁ ବିନିକେଇ ଯାଉଥିବା ବେଳେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଛି। ଫଳରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍ ଭିତରେ ୫୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଆହତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣ କଲେଜ ଛାତ୍ରୀ, ୨ଜଣ ମହିଳା ଓ ୧୦ ଜଣ ପୁରୁଷ ଗୁରୁତର ଆହତ ହୋଇଥିବା ଜଣାପଡିଛି।