ଉମରକୋଟ, ୨୩/୦୨: ଲାଞ୍ଚ ନେବା ଅଭିଯୋଗରେ ୨ କୃଷି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଉମରକୋଟ ବ୍ଲକ୍‌ର ଆସିଷ୍ଟାଣ୍ଟ ଆଗ୍ରିକଲଚର୍‌ ଅଫିସର୍‌ ନୀଳକାନ୍ତ ପରିଡ଼ା ଏବଂ ବ୍ଲକ୍‌ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ରସିଂ ବୁନ୍ଦେଲଙ୍କୁ ଗିରଫ କଲା ଭିଜିଲାନ୍ସ । ଉଭୟଙ୍କୁ ୫୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି । 

ସୂଚନ ମୁତାବକ, ଜଳନିଧି ଯୋଜନାର ଜଣେ ହିତାଧିକାରୀ ତାଙ୍କ ଜମିରେ ବୋରୱେଲ ଖୋଲିବା ପାଇଁ ଆସିଥିବା ସବ୍‌ସିଡି ଟଙ୍କା ମାଗିଥିଲେ । ସେହି ଟଙ୍କା ଦେବା ପାଇଁ ତାଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଆସିଷ୍ଟାଣ୍ଟ ଆଗ୍ରିକଲଚର୍‌ ଅଫିସର୍‌ ନୀଳକାନ୍ତ ପରିଡ଼ା ଏବଂ ବ୍ଲକ୍‌ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ରସିଂ ବୁନ୍ଦେଲ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ । ଏ ସମ୍ପର୍କରେ ଜାଣିବାକୁ ପାଇ ଭିଜିଲାନ୍ସ ଟିମ୍‌ ପୂର୍ବରୁ ଛକି ବସିଥିଲା । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍‌ ଚଢାଉ କରି ଉଭୟଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଚଢାଉ ପରେ ନୀଳକାନ୍ତ ପରିଡ଼ାଙ୍କ ୩ ଟି ସ୍ଥାନରେ ଏବଂ ସୁରେନ୍ଦ୍ରସିଂ ବୁନ୍ଦେଲଙ୍କ ୨ ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।