ଲାଞ୍ଜିଗଡ, ୮/୭(ଆପ୍ର)- ଲାଞ୍ଜିଗଡ ଥାନା ଅଞ୍ଚଳର ଏକ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଞ୍ଜିଗଡ ପୋଲିସ I ନାବାଳିକା ଜଣକ ସୋମବାର ନିଜ ଭଉଣୀ ସହିତ ମନ୍ଦିରକୁ ଯାଇଥିଲେ। ଏହି ସମୟରେ ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଯୋଡ଼ାବନ୍ଧ ଗ୍ରାମର ଖଗପତି ହରିଜନ (୨୫) , ଦୁଇଜଣ ସାଙ୍ଗ ଏବଂ ରାୟଗଡା ଜିଲ୍ଲା ଆମ୍ବାଦୋଳାର କାର ଡ୍ରାଇଭର ବୈଲୋଚନ ବାଗ (୨୪) ସହିତ ମିଶି ଜୋର ଜବରଦସ୍ତ ମନ୍ଦିର ପାଖରୁ ଏକ କାର ରେ ଉଠାଇ ନେଇଥିଲେ I ଘଟଣା ପରେ ନାବାଳିକାର ଭଉଣୀ ଘରକୁ ଯାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ I
ନାବାଳିକାର ପିତା ବହୁତ ଖୋଜାଖୋଜି ପରେ ଝିଅକୁ ନ ପାଇବାରୁ ଲାଞ୍ଜିଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I ଏହାପରେ ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏସଆଇ ଡୋଳାମଣି ବିଶି , ଏଏସଆଇ ସ୍ଵର୍ଣ୍ଣଲତା ଗମାଙ୍ଗ ତଦନ୍ତ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବିଜେପୁର ଥାନା ଅଞ୍ଚଳରେ ଥିବା ପଦ୍ମଥୋପା ଗ୍ରାମରୁ ନାବାଳିକା ସମେତ ତିନିଜଣଙ୍କୁ ଧରି ଲାଞ୍ଜିଗଡ ଆଣିଥିଲେ। ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିଲେ I ତଦନ୍ତ ପରେ ଏମାନଙ୍କ ସହିତ ଆଉ ଦୁଇଜଣ ସମ୍ପୃକ୍ତ ରହିଥିବା ବେଳେ ବର୍ତ୍ତମାନ ସେମାନେ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I ଏ ନେଇ ଲାଞ୍ଜିଗଡ ଥାନା ପକ୍ଷରୁ ଏକ ଅପହରଣ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଲାଞ୍ଜିଗଡ ଥାନାଧିକାରୀ ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି I