ରାଇରଙ୍ଗପୁର,୧୬।୧୦ (ଆପ୍ର): ମୟୂରଭଞ୍ଜ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚାଡରିପାହାଡି ଗ୍ରାମରେ।
ଚାଡରିପାହାଡି ଗ୍ରାମର ଦାଶରଥି ହାଁସଦାଙ୍କ (୯) ପୁଅ ସାକିଲା ସିଂ ହାଁସଦା ଓ ମୁନିରାମ ମୁର୍ମୁଙ୍କ (୮ ) ପୁଅ ସୁବୋଧ ମୁର୍ମୁ ଦୁହେଁ ସାଙ୍ଗ ହୋଇ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁହେଁ ଘରକୁ ଆସିବାରୁ ବିଳମ୍ବ ହେବାରୁ ପରିବାର ଲୋକେ ନିକଟସ୍ଥ ପୋଖରୀକୁ ଯାଇ ଦେଖିଥିଲେ। ସେଠାରେ ଜଣେ ଭାସୁ ଅବସ୍ଥାରେ ଥିବାବେଳେ ତାଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକେ। ତେବେ ଅନ୍ୟ ବାଳକକୁ ଦେଖିବାକୁ ପାଇ ନ ଥିଲେ ପରିବାର ଲୋକେ। ତୁରନ୍ତ ଏ ସମ୍ପର୍କରେ ନିକଟସ୍ଥ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ପୋଖରୀରୁ ଆଉ ଜଣେ ବାଳକଙ୍କୁ ଉଦ୍ଧାର କରି ତୁରନ୍ତ ଦୁହିଁଙ୍କୁ ରାଇରଙ୍ଗପୁର ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ପରେ ଏ ସମ୍ପର୍କରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସକୁ ଖବର ଦିଆ ଯାଇଥିଲା। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ମୃତ ବାଳକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ମୃତ ସୁବୋଧ ମୁର୍ମୁଙ୍କ ବାପା ମୁନିରାମ ମୁର୍ମୁ ଓ ମାଆ ବାଙ୍ଗାଲୋର କାମ ନିମନ୍ତେ ଯାଇଥିବା ବେଳେ ସୁବୋଧ ଘରେ କକାଙ୍କ ସହିତ ରହୁଥିଲେ। ମୃତ ସୁବୋଧଙ୍କ ବାପା ମାଆଙ୍କୁ ଫୋନ ଯୋଗେ ଦୁଃଖଦ ଘଟଣାର ଖବର ଦିଆ ଯାଇଛି। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।