ବଲାଙ୍ଗୀର, ୧୨/୧୦: ବିଳମ୍ବିତ ରାତରେ ଦୋକାନ ଭିତରକୁ ପଶିଗଲା ଟ୍ରକ୍। ଏହି ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ଦୁଇ ଗୋରୁଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨୬ ନମ୍ବର ଜାତୀୟ ରାଜପଥର ଗାନ୍ଧୀନଗର ପଡା ମତ୍ସ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଏକ ସମ୍ବଲପୁର ନମ୍ବର ଥିବା ଟ୍ରକ୍ ଦ୍ରୁତ ଗତିରେ ଆସି ରାସ୍ତା କଡ଼ କମ୍ପ୍ଲେକ୍ସ ଦୋକାନ ଭିତରକୁ ପଶିଯାଇଥିଲା। ଫଳରେ ସେଠାରେ ଥିବା ବିଦ୍ୟୁତ ଖୁଣ୍ଟ ସହ ମାର୍କେଟ କମ୍ପ୍ଲେକ୍ସ ସିଡି ଭାଙ୍ଗିଯାଇଥିଲା। ଏହା ସହ ରାସ୍ତା କଡ଼ରେ ଥିବା ଦୁଇଟି ଗାଈ ଉପରେ ଟ୍ରକ୍ଟି ଚଢିଯିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏସମ୍ପର୍କର ଖବର ପାଇ ତୁରନ୍ତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହ ଡ୍ରାଇଭରକୁ ଉଦ୍ଧାର କରି ଭିମଭୋଇ ମେଡିକାଲକୁ ପଠାଇଛି ପୁଲିସ । ଦୁର୍ଘଟଣାରୁ ଅନ୍ୟ ଗାଡିମାନେ ଅଳ୍ପକେ ବର୍ତିଯାଇଛନ୍ତି । ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି।