ମାଲକାନଗିରି/କୋରକୁଣ୍ଡା, ୨୭/୭(ଆପ୍ର ). ମାଲକାନଗିରି ଜିଲ୍ଲାରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଓରକେଲ ଓ ମୁଦୁଲିପଡା ଥାନା ଅଞ୍ଚଳରେ ୨ ଜଣ ନାବାଳିକା ଦୁଷ୍କର୍ମ ହୋଇଥିବା ପୃଥକ ପୃଥକ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ଗୁରୁତ୍ୱ ଦେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଜଣେ ବ୍ୟକ୍ତି ଫେରାର ହୋଇ ଯାଇଥିବା ଥାନାରେ ଅଭିଯୋଗ 'ହୋଇଛି।
ଜଣେ ନାବାଳିକା ନିଜ ମାମୁଁଘରେ ରହି ପଢୁଥିଲେ ଓ ସେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ୧୪ ତାରିଖରେ ସେ ନିଜ ଘରକୁ ବୁଲିବା ପାଇଁ ଯାଇଥିଲେ। ୨୦ ତାରିଖରେ ବସ୍ ଯୋଗେ ମାମୁଁ ଘରକୁ ଫେରୁଥିଲେ। ଗାଁ ଛକ ନିକଟରେ ଓହ୍ଲାଇ ଚାଲି ଚାଲି ଯାଉଥିଲେ। ଏହି ସମୟରେ ମାମୁଁଘର ଗ୍ରାମର ଦୟା ମାଢି (୫୦) ଲିଫ୍ଟ ଦେବା ବାହାନାରେ ବାଇକରେ ବସାଇ ଚିତ୍ରକୋଣ୍ଡା ଜଳଭଣ୍ଡାର ବୁଲେଇ ନେବି କହି ସାଙ୍ଗରେ ଡାକି ନେଇଥିଲେ,। ଫେରିବା ବେଳେ ସନ୍ଧ୍ୟା ସମୟରେ ଅନ୍ଧାରର ସୁଯୋଗ ନେଇ ରାସ୍ତାପାର୍ଶ୍ଵ ଜଙ୍ଗଲକୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏ କଥା କାହାକୁ ନ କହିବା ପାଇଁ ଧମକାଇ ପରେ ଗାଁରେ ଆଣି ଛାଡି ଦେଇଥିଲା।
ଭୟଭୀତ ନାବାଳିକା ମାମୁଁ ଘରକୁ ନଯାଇ ସେହି ଗ୍ରାମର ଜଣେ ପରିଚିତ ଲୋକଙ୍କ ଘରେ ରାତିରେ ରହିଯାଇଥିଲେ। ପର ଦିନ ସକାଳେ ଘଟଣା ବିଷୟରେ ମାମୁଁ ଓ ମାଇଁଙ୍କୁ ଜଣାଇଥିଲେ। ପରେ ଘଟଣା ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରି ଗତ ୨୬ ତାରିଖରେ ଓର୍କେଲ ଥାନାରେ ମାମୁଁ ଲିଖିତ ଅଭିଯୋଗ ଦାଖଲ କରି ଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଥାନା ଅଧିକାରୀ ଧିରେନ ପଟ୍ଟନାୟକ ଜଣାଇଛନ୍ତି ଯେ, ଘଟଣାକୁ ଗୁରୁତ୍ୱ ଦିଆଯାଇ ତଦନ୍ତ ଆରମ୍ଭ ହୋଇଛି ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ଅଛି। ପୁଲିସ ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା କରିଛି।
ସେହିପରି ଭାବେ ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅଞ୍ଚଳରେ ମଧ୍ୟ ଆଉ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବାର ମୁଦୁଲିପଡା ଥାନାରେ ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଗତ ରବିବାର ଦିନ ମାଲକାନଗିରି ଥାନାସ୍ଥ ଜିଲ୍ଲା ସଦର ମହାକୁମାଠାରେ ଜଣେ ନାବାଳିକା ଗଣଧର୍ଷଣର ଶିକାର ହୋଇଥିଲେ। ପୁଲିସ ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ଜିଲ୍ଲାବାସୀଙ୍କ ମନରୁ ନ ଯାଉଣୁ ପୁଣି ଦୁଇ ଜଣ ନାବାଳିକା ଦୁଷ୍କର୍ମର ଶିକାର ହେବା ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିବା ସହିତ ଏହା ଚର୍ଚ୍ଚାର ବିଷୟ ପାଲଟିଛି।