ନବରଙ୍ଗପୁର, ୧୪।୩ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ତାରିଖ ରାତିରେ ୭୦ଲକ୍ଷ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟ ଘଟଣାରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ପୁଲିସ ୭ ଜଣ ଅନ୍ତଜିଲ୍ଲା ଡକାୟତଙ୍କୁ ଗିରଫ କରିଥିଲା।
କୋଚନିଆମ୍ବା ଗ୍ରାମର ଅମୁଲ୍ୟ ଜେନା ଜମି ବିକ୍ରିକରୀ ନଗଦ ଟଙ୍କା ଘରେ ରଖିଥିଲେ। ଡକାୟତମାନେ ତାଙ୍କ ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ୭୦ ଲକ୍ଷ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟ କରିଥିଲେ। ଏହି ଘଟଣାରେ ପୁଲିସ ତଦନ୍ତ କରି ଏହି ଡକାୟତିରେ ୭ ଜଣ ଅନ୍ତ ଜିଲ୍ଲା ଡକାୟତକୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୨୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସହ ସୁନା , ରୁପା ଅଳଙ୍କାର ,ଡକାୟତିରେ ବ୍ୟବହୃତ କାର, ସ୍କୁଟି ଜବତ କରିଥିଲା। ଶନିବାର ପୁଣି ଦୁଇ ଜଣ ଡକାୟତଙ୍କୁ ଗିରଫ କରି ତାଙ୍କ ଠାରୁ ନଗଦ ୩ ଲକ୍ଷ ଦୁଇ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଛି। ଅମୁଲ୍ୟ ଜେନା ଜମି ବିକ୍ରିକରୀ ନଗଦ ଟଙ୍କା ଘରେ ରଖିଥିବା ଖବର ଅମୁଲ୍ୟଙ୍କ ଦୁଇ ସମ୍ପର୍କୀୟ ଜାଣିଥିଲେ। ସେମାନେ ଡକାୟତ ମାନଙ୍କୁ ଖବର ଦେଇ ଡକାୟତ ପାଇଁ ଯୋଜନା ପ୍ରସ୍ତୁତ କରି ୨୨ ତାରିଖ ରାତ୍ରିରେ ଡକାୟତି କରିଥିଲେ। ଏ ନେଇ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ କୁମାର ସେନ ସୂଚନା ଦେଇଛନ୍ତି।