ଭୁବନେଶ୍ବର, ୩୦।୬ : ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି।  ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ପୁଲିସ ଜବତ କରିଛି। ମୃତ ୨ ମାଓବାଦୀ ହେଲେ ମଙ୍କୁ ଏବଂ ଚନ୍ଦନ  ।କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ଗ୍ରୁପର ମଙ୍କୁ ଏସି,ମ କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୋଲିସ ସୂଚନା ଦେଇଛି।  ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି। 

ଉଲ୍ଲେଖ ଯୋଗ୍ୟ ଯେ, ବାଲିଗୁଡା ଥାନା ଅଧୀନ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଜିଲ୍ଲା ପୁଲିସର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ସେହି ଅନୁଯାୟୀ କନ୍ଧମାଳ ଏସପି  ହରିଶ ବି. ସି.ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଡିଭିଏଫ ଯବାନ ଟିମ ସମ୍ପୃକ୍ତ ଅଞ୍ଚଳରେ  ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ।  ଜଙ୍ଗଲ ମଧ୍ୟରେ ଡିଭିଏଫ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ମଙ୍କୁ ଏବଂ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଉଭୟଙ୍କ ମୃତ ଦେହ ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳରେ ଅପେରସନ ଜୋରଦାର କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ   ଯୋଗେଶ ବାହାଦୁର ଖୁରାନିଆ ଏହି ସଫଳତା ପାଇଁ କନ୍ଧମାଳ ଜିଲ୍ଲା ଏସପି ହରିଶ ବି. ସି. ଏବଂ ଡିଭିଏଫ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।