ଭୁବନେଶ୍ବର,୮।୧ : ରାଜଧାନୀର ରସୁଲଗଡ଼ ଓଭରବ୍ରିଜ୍‌ରେ ସହଦେହ ନାୟକ ମୁଣ୍ଡ କାଟି ହତ୍ୟା ଘଟଣାରେ  କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଆଉ ୨ ଜଣଙ୍କୁ ଗିରଫ କରିଛି।  ଫଳରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି।  ପୂର୍ବରୁ ୩ ଅଭିଯୁକ୍ତ ରବି ନାୟକ, ଲକ୍ଷ୍ମୀଧର ନାୟକ ଏବଂ ଲିପିକା ନାୟକଙ୍କୁ ଗିରଫ କରିଥିଲା ପୋଲିସ । ବ୍ରାଉନସୁଗାର ବ୍ୟବସାୟରେ ସହଦେବ ପ୍ରତିବନ୍ଧିକ ସାଜିବା ଓ ପୁର୍ବ ଶତ୍ରୁତାକୁ ନେଇ  ତାଙ୍କୁ ହତ୍ୟା କରାଯାଇଛି।  

ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ରସୁଲଗଡ଼ କେଦାରପଲ୍ଲୀ ବସ୍ତିର ସହଦେବ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସ୍‌ଏସ୍‌ ନଗରରୁ ରସୁଲଗଡ଼ ପଟକୁ ଆସୁଥିଲେ । ଏହି ସମୟରେ କିଛି ଯୁବକ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ । ପିଛା କରି ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ବାଇକ୍‌ ଯୋଗେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ । ଏହା ପରେ ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ପରେ ଘଟଣାରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଗୁରୁବାର  ଅଭିଯୁକ୍ତଙ୍କୁ ନେଇ ହତ୍ୟା ଘଟଣାର ପୋଲିସ ସିନ୍ ରିକ୍ରିଏସନ କରିଛି।