ନବରଙ୍ଗପୁର, ୬।୧ ନବରଙ୍ଗପୁରରେ ଚାଞ୍ଚଲ୍ୟ ।  ଧାରୁଆ ଛୁରୀରେ ଅଧ୍ୟାପିକା ଓ ତାଙ୍କ ଭଉଣୀଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ଜୟପୁର  ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କୋଷାଗୁମୁଡ଼ା  ବ୍ଲକ ମାଙ୍କିଡି ଗ୍ରାମ ନିକଟରେ ଏହି  ଘଟଣା ଘଟିଛି।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନେଇଙ୍ଗାର ଅଧ୍ୟାପିକା ଶ୍ରଦ୍ଧା ସିମରନ ଗଣ୍ଡା ଓ ତାଙ୍କ ଭଉଣୀ  ସସ୍ମିତା ରାଣୀ ଗଣ୍ଡା ସୋମବାରସକାଳୁ ଘରୁ ବାହାରି  ସ୍କୁଟିରେ କୋଷାଗୁମୁଡ଼ା କୁ ଯାଉଥିଲେ।  ଏହି ସମୟରେ ମାଙ୍କିଡି ଗ୍ରାମ ନିକଟରେ  ରାସ୍ତାରେ ଅଟକାଇ  ଦୁଇରୁ ତିନି ଜଣ ଦୁର୍ବୃତ୍ତ ଦୁଇଭଉଣୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l ଫଳରେ  ଗୋଟିଏ ଭଉଣୀର ଗଳା କଟିଯାଇଥିବାବେଳେ ଆଉଜଣକୁ ମୁଣ୍ଡର ଦୁଇତିନି ସ୍ଥାନରେ ଗଭୀର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କୋଷାଗୁମୁଡ଼ା ମେଡ଼ିକାଲ ଓ ପରେ ଜୟପୁର ଘରୋଇ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି ପରିବାର ଲୋକେ l  

ଶ୍ରଦ୍ଧା ସୀମରନଙ୍କ ଗଳା କଟି ଯାଇଥିବାରୁ ତାଙ୍କୁ ବର୍ତ୍ତମାନ ଆଇସିୟୁରେ ରଖା ଯାଇ ଚିକିତ୍ସା କରାଯାଉଥିବା ବେଳେ ସସ୍ମିତାଙ୍କ ମୁଣ୍ଡରେ ଆଘାତ ଲାଗି ଯାଇଥିବାରୁ ତାଙ୍କ ଚିକିତ୍ସା ଚାଲିଛି । ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥାଇପାରେ ବୋଲି ତାଙ୍କ ମା’ ସନ୍ଦେହ କରୁଛି।  ଭାଇ ସାହିଲ ସିଲ ଗଣ୍ଡ  କୋଷାଗୁମୁଡା ଥାନାରେ ଏତଲା ଦାୟର  କରିଛନ୍ତି।