ରାଜଗାଙ୍ଗପୁର, ୧୫।୧୦: ରାସ୍ତା କଡ଼କୁ ଓଲଟି ପଡ଼ିଲା ଟ୍ରାକ୍ଟର, ୨ ଶ୍ରମିକ ମୃତ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡିହି ପଞ୍ଚାୟତ ନିକଟରେ ଏକ ଟ୍ରାକ୍ଟର ଓଲିଟି ପଡ଼ିଛି । ଫଳରେ ଘଟଣାସ୍ଥଳରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଦୁଇ ଜଣ ମାଲିଡିହି ରାନି ପିଆ ସଂଘପାନି ଗ୍ରାମର ଶ୍ରମିକ ୨୭ ବର୍ଷୀୟ ୱିଲିୟମ ଖାଖା ଏବଂ ୩୦ ବର୍ଷୀୟ ଧିରୁଆ ବାର୍ଲା ବୋଲି ଜଣାପଡ଼ିଛି ।
ସୂଚନନୁସାରେ, ବୁଧବାର ପ୍ରାୟ ଦିନ ୧୧ଟା ସମୟରେ ଚାଳକ ସହ ଦୁଇ ଜଣ ଶ୍ରମିକ ଟ୍ରାକ୍ଟରରେ ଡୁଡି ଗ୍ରାମ ପଟୁ ରାଣିପିଆ ପଟକୁ ଯାଉଥିଲେ । ଏହି ସମୟରେ ମାଲିଡିହି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଟ୍ରାକ୍ଟର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଡାଲା ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଖବର ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ତାନୀୟ ଲୋକଙ୍କ ସହାୟତାରେ ମୃତକଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ସିଏଚସିକୁ ପଠାଇଛନ୍ତି । ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଜଣକ ଫେରାର ଥିବା ଜଣାପଡ଼ିଛି ।