ରାଉରକେଲା, ୨୮/୧୧ : ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଜରେଇକେଲା ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲର କୋଇଭଙ୍ଗାରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟି ଥିବାବେଳେ ୨ଜଣ ଯୁବତୀ ଗୁରୁତର ହୋଇଛନ୍ତି । ସେମାନେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ।
ସୂଚନା ଅନୁସାରେ, କୋଇଭଙ୍ଗା ଗ୍ରାମର ଫୁଲ ଧନୱାର (୧୦), ସାଲବୀ କାଣ୍ଡୁଲାନା(୧୯) ଏବଂ ବିର୍ସି ଧନୱାର(୧୯) ଘରେ ଚୁଲି ଜଳେଇବା ଲାଗି ଶୁଖିଲା କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲ ରାସ୍ତାରେ ଯାଉଥିବାବେଳେ ମାଓବାଦୀ ଲଗାଇଥିବା ଆଇଇଡି ଉପରେ ଫୁଲଙ୍କ ଗୋଡ଼ ପଡି ଯାଇଥିଲା। ଫଳରେ ଆଇଇଡି ବିସ୍ଫୋରଣ ହେବାରୁ ୩ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ଫୁଲଙ୍କ ମୃତ୍ୟୁ ଘଟି ସାରିଥିଲା । ବିସ୍ଫୋରଣର ସୂଚନାପାଇ ସିଆରପିଏଫ୍ ଯବାନ ଓ ଜରେଇକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ଅନ୍ୟ ଦୁଇ ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ରାଉରକେଲା କିମ୍ବା ମନୋହରପୁର ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରୁଛନ୍ତି । ସୂଚନାଯୋଗ୍ୟ, ଗତ ମାସରେ ଦୀଘା ଗ୍ରାମରେ ମାଓବାଦୀ ଆଇଇଡି ବିସ୍ଫୋରଣରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା।