ଭୁବନେଶ୍ୱର,୨୬/୧୧: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷର ୧୪୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହା ଦ୍ୱାରା ରାଜ୍ୟର ୧୧ ଜିଲାରେ ୪,୩୫୩ କୋଟି ଟଙ୍କାର ନିବେଶ ଏବଂ ୭୮୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରସାୟନ, ଇଲେକ୍ଟ୍ରୋନିକ୍ସ, ଆଲୁମିନିୟମ, ପର୍ଯ୍ୟଟନ, ଭିତ୍ତିଭୂମି, ଆଇଟି ସେବା, ଶକ୍ତି ଓ ଅକ୍ଷୟ ଶକ୍ତି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଶିଳ୍ପଗୁଡ଼ିକ ଆସିବ । ଏହି ଶିଳ୍ପ ପ୍ରସ୍ତାବଗୁଡ଼ିକ ଦ୍ୱାରା ରାଜ୍ୟର ଶିଳ୍ପାୟନ ଧାରା ଦୃଢ଼ ହେବ ବୋଲି ଆଶା କରାଯାଉଛି ।

ଜଗତସିଂହପୁରରେ ପିଟିୱାର୍କସ ପ୍ରାଇଭେଟ ଲିମିଟେଡ ୫୩୨ କୋଟି ବିନିଯୋଗରେ ଏକ ବେଭରେଜ୍ ୟୁନିଟ କରିବ । ଏଥିରେ ୨୪୦ ଲୋକ ନିଯୁକ୍ତି ପାଇବେ । ସୁନ୍ଦରଗଡରେ ଏନ୍ଟିପିସି ସେଲ୍ ପାୱାର ୭୧୦.୨୭ କୋଟି ବିନିଯୋଗରେ ଏକ ଫ୍ଲୋଟିଂ ସୋଲାର ୟୁନିଟ୍ ସ୍ଥାପନ କରିବାକୁ ଯାଉଛି । କେନ୍ଦୁଝରରେ ରଶ୍ମି ମେଟାଲର୍ଜିକାଲ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ୬୦୦ କୋଟିରେ ଲୁହାପଥର ବେନିଫିକେସନ ପ୍ଲାଣ୍ଟ କରିବ । ଏହା ଦ୍ୱାରା ୪୦୦ ନିଯୁକ୍ତି ଆସିବ । ଏନଭାୟରୋକେୟାର ଇନଫ୍ରାସଲ୍ୟୁଶନ ୩୫୧ କୋଟିରେ ଅନୁଗୁଳରେ ସୋଲାର୍ ଫଟୋଭୋଲ୍ଟିକ ୟୁନିଟ୍ ବସାଇବାକୁ ଯାଉଛି । ୩୨୫ କୋଟି ମୂଲ୍ୟରେ ସମ୍ବଲପୁରରେ ପ୍ରିମିୟର ଗ୍ରୀନ୍କେମ୍ ଇଏନ୍ଏ ଆଣ୍ଡ୍ ବ୍ରିୱେରି ୟୁନିଟ ସ୍ଥାପନ କରିବ । ଖୋର୍ଦ୍ଧାରେ ମାଉଣ୍ଟଏଭରେଷ୍ଟ ବେଭରେଜେସ ୨୯୯.୦୮ କୋଟି ବିନିଯୋଗରେ ଏକ ବ୍ରିୱେରି ୟୁନିଟ କରିବ । ଢ଼େଙ୍କାନାଳରେ ୨୭୧ କୋଟିରେ ଅନନ୍ଥମ ସୋଲାର ଏନର୍ଜି ଏକ ସୋଲାର ସେଲ୍ ଏବଂ ସୋଲାର ମଡ୍ୟୁଲ୍ ମାନୁଫାକଚରିଂ ୟୁନିଟ କରିବ । ୧୭୦୦ ନିଯୁକ୍ତି ଦେବ କମ୍ପାନି । ପୁରୀରେ ୨୫୦ କୋଟି ଟଙ୍କା ବିନିଯୋଗରେ ଶ୍ରୀକ୍ରିଷ୍ଣା ଇଷ୍ଟେଟ ଆଣ୍ଡ୍ କନ୍ଷ୍ଟ୍ରକ୍ସନ ୫ ଷ୍ଟାର୍ ହୋଟେଲ କରିବ । ଏଠାରେ ୩୦୦ ନିଯୁକ୍ତି ସୁଯୋଗ ଆସିବ ।

ସେହିପରି ସତ୍ପଦା ରେଗାଲ୍ ଏଠାରେ ୧୨୫ କୋଟିରେ ୫ ଷ୍ଟାର୍ ରିସର୍ଟ ସ୍ଥାପନ କରିବାକୁ ଯାଉଛି । ଆର୍କେଡି ହୋଟେଲ୍ସ ମଧ୍ୟ ପୁରୀରେ ୫୮.୮୦ କୋଟି ବିନିଯୋଗରେ ଏକ ରିସର୍ଟ ବସାଇବ । କୋରାପୁଟରେ ୭୦ କୋଟି ଟଙ୍କାରେ ରିସର୍ଟ କରିବ ମିଡ୍ ଇଷ୍ଟ । ଏହା ଦ୍ୱାରା ଯଥାକ୍ରମେ ୧୬୬୪ ଏବଂ ୩୦୦ ନିଯୁକ୍ତି ଆସିବ । ଖୋର୍ଦ୍ଧାରେ ୧୫୦ କୋଟି ବିନିଯୋଗରେ ନିର୍ମଳ ୱାୟାର୍ସ ଆଲୁମିନିୟମ ଡାଉନ୍ଷ୍ଟ୍ରିମ ପ୍ରକଳ୍ପ କରିବ । ଅନ୍ୟ ଏକ କମ୍ପାନି ଏସ୍ଆର୍ ଡାଇନାମିକ୍ସ ୫୪ କୋଟିରେ ସ୍ଥାପନ କରିବ ସୋଲାର ମଡ୍ୟୁଲ କାରଖାନା ।

ଯାଜପୁରରେ ୧୧୧.୮୫ କୋଟିରେ ଶ୍ରୀ ଜଗନ୍ନାଥ କ୍ୟାରିୟର୍ସ ପ୍ରାଇଭେଟ ଲିମିଟେଡ ଲଜିଷ୍ଟିକ୍ସ ପାର୍କ ବସାଇବ । ଏହାବାଦ ଖୋର୍ଦ୍ଧାରେ ୬୦ କୋଟି ନିବେଶରେ ଗ୍ରେଟ୍ଲେନ ସର୍ଭେଲାନ୍ସ ସିଷ୍ଟମ୍ସ ଏଲ୍ଇଡି ମାନୁଫାକ୍ଚରିଂ ୟୁନିଟ କରିବାକୁ ଯାଉଛି । ସେହିଭଳି ମାତାରାଣୀ ରିସୋର୍ସେସ୍ ଝାରସୁଗୁଡାରେ ୫୧.୨୪ କୋଟିରେ ଘରୋଇ ମାଲ୍ ଟର୍ମିନାଲ, ଯାଜପୁରରେ ୭୦.୫୦ କୋଟିରେ ସିନୋମାକ ଟେକ୍ନୋଲୋଜିର ରେଳ ଯନ୍ତ୍ରାଂଶ ୟୁନିଟ, ଖୋର୍ଦ୍ଧାରେ ୬୩ କୋଟିରେ ଟେକ୍ନୋସ୍ରାଇନ ଇନ୍ଫୋସଲ୍ୟୁସନର ଆଇଟି ସେବା କମ୍ପାନି, ଅନୁଗୁଳରେ ୯୯ କୋଟିରେ ଗୋଦାବରୀ କମୋଡିଟିଜର କୋଇଲା ୱାସେରୀ ପ୍ରକଳ୍ପ ଏବଂ ୯୯.୮୫ କୋଟି ବିନିଯୋଗରେ ଖୋର୍ଦ୍ଧାରେ ଆଇନେକ୍ସ ରିନ୍ୟୁଏବୁଲ୍ସ ସୋଲାର ମଡ୍ୟୁଲ ୟୁନିଟ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି ।