ଭେଟ୍ଟଲାପାଲିମ,୨୮।୨: ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ଭେଟ୍ଟଲାପାଲିମ ଗାଁରେ ଏକ ବାଣ ତିଆରି ୟୁନିଟରେ ଶନିବାର ଘଟିଛି ବଡ଼ ଧରଣର ବିସ୍ଫୋରଣ। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ ୟୁନିଟରେ ୨୦ ରୁ ଅଧିକ କର୍ମଚାରୀ କାମ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,୨ଟି ବିସ୍ଫୋରଣ ହୋଇଥିଲା। ଏହାର ଶବ୍ଦ ଏତେ ଅଧିକ ଥିଲା ଯେ,୫କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଏହାପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଏବଂ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଘଟଣା ସମୟରେ ସେଠାରେ ବହୁ ଶ୍ରମିକ କାମ କରୁଥିଲେ। ତାଙ୍କ ଭିତରେ ଅନେକ ମହିଳା ଥିଲେ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତକ ସେଠାରୁ ଛିଟକି ନିକଟରେ ଥିବା ଧାନ ବିଲ୍ରେ ପଡିଥିଲା। ସବୁଜ ଧାନ ବିଲ୍ ରକ୍ତରେ ହୋଇଯାଇଥିଲା ଜୁଡୁବୁଡୁ। ସ୍ଥାନୀୟ ଲୋକ ଆହତ ଏବଂ ମୃତଙ୍କୁ ଚାଦରରେ ଗୁଡାଇ ହସ୍ପିଟାଲ ନେଇଥିଲେ। ପୁଲିସ କ୍ଷେତରେ ବିଛାଇ ହୋଇ ପଡିଥିବା ମୃତ ଶରୀର ଖଣ୍ଡକୁ ଜାଣିବାକୁ ଡ୍ରୋନ୍ ମୁତୟନ କରିଛି। କାକିନାଡା ସରକାର ହସ୍ପିଟାଲର ସୁପରିଟେଣ୍ଡେଣ୍ଟ କହିଛନ୍ତି ହସ୍ପିଟାଲ ଆସିଥିବା ଆହତ ବି ୯୦ ରୁ ୧୦୦% ପୋଡି ଯାଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି। ପ୍ରଶାସନ ଉଦ୍ଧାର କାର୍ଯ୍ୟରେଲାଗିଛି। ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି,ମୃତକଙ୍କ ସଂଖ୍ୟା ଆହୁରି ବଢିପରେ। କାରଣ କିଛି ଆହତଙ୍କ ସ୍ଥିତି ଏବେ ବି ଗୁରୁତର ରହିଛି। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢନ୍ତୁ : ପୋଖରାନ ଆକାଶରେ ବାୟୁସେନାର ଗର୍ଜନ, 'ବାୟୁଶକ୍ତି-୨୬'ରେ ଶତ୍ରୁ ଶିବିରକୁ ଧୂଳିସାତ୍ କଲେ ସ୍ୱଦେଶୀ ଯୁଦ୍ଧବିମାନ !