ରାଉରକେଲା, ୨୪/୯: ରାଉରକେଲାରେ ଆରମ୍ଭ ହେଲାଣି ପାର୍ବଣ ମାହୋଲ । ସୋମବାରଠାରୁ ଶକ୍ତିପୀଠଗୁଡ଼ିକରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏଥିସହ ଅପରାଧୀମାନେ ସକ୍ରିୟ ହୋଇଉଠିଛନ୍ତି। ଆକର୍ଷଣୀୟ ମେଢ଼ ପାଇଁ ପ୍ରସିଦ୍ଧ ଷ୍ଟିଲ୍ସିଟିରେ ଦଶହରାକୁ ଶୃଙ୍ଖଳିତ କରିବା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଶାରଦୀୟ ଦୁର୍ଗାପୂଜାରେ ଅପରାଧୀଙ୍କୁ ସାବାଡ୍ କରିବାକୁ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।
ପାର୍ବଣ ଆସିଲେ ସ୍ମାର୍ଟସିଟିରେ ସକ୍ରିୟ ହୋଇଉଠନ୍ତି ଅପରାଧୀ । ବିଭିନ୍ନ ପୂଜା ମଣ୍ଡପରେ ଘୂରି ବୁଲନ୍ତି ଲୁଟେରା । ଛତିଶଗଡ଼ ଓ ରାଜସ୍ଥାନରୁ ମହିଳା ଛିନ୍ତାଇ ଗ୍ୟାଙ୍ଗ ମୁଣ୍ଡବ୍ୟଥା ବଢ଼ାଇ ଥାଆନ୍ତି । ସହର ଉପକଣ୍ଠ ବେଦବ୍ୟାସ, ଚିକଟମାଟି ସମେତ ଆଖପାଖ ଅଞ୍ଚଳରେ ମହିଳା ଗ୍ୟାଙ୍ଗ୍ ଡେରା ପକାଇଥାନ୍ତି । ଭିଡ଼ର ସୁଯୋଗରେ ଶ୍ରଦ୍ଧାଳୁଙ୍କ ସୁନା ଅଳଙ୍କାର କାଟି ନିଅନ୍ତି । ମୋବାଇଲ୍ ଫୋନ୍ ଲୁଟେରା ମଧ୍ୟ ଏହି ସମୟରେ ସକ୍ରିୟ ହୋଇ ଉଠନ୍ତି । ନିଶାସକ୍ତମାନେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ କରିଥାନ୍ତି । ଲୁଟେରା, ପେସାଦାର ଅପରାଧୀ ଏବଂ ମହିଳା ଲୁଟେରାଙ୍କୁ ସାବାଡ଼ କରିବାକୁ ଚଳିତବର୍ଷ ରାଉରକେଲା ପୁଲିସ୍ ପ୍ରଶାସନ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ସହରର ୨୦୦ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରାଯାଇ ୨୦୦ରୁ ଊଦ୍ଧ୍ୱର୍ ସିସି ଟିଭି କ୍ୟାମେରା ଲଗାଯିବାକୁ ଯୋଜନା ରହିଛି । ସେହିପରି ଆକାଶମାର୍ଗରୁ ପୂଜା ମଣ୍ଡପ ଉପର ନଜର ରଖିବ ଡ୍ରୋନ୍ । ମଣ୍ଡପରେ ଦଶଭୂଜାଙ୍କ ଆବାହନ ପୂର୍ବରୁ ସହରରେ ପୁଲିସ୍ ଡ୍ରୋନ୍ ବୁଲିବା ଆରମ୍ଭ କରିଛି । ପାର୍ବଣରେ ଏହି ପ୍ରକ୍ରିୟାକୁ ଆହୁରି ଜୋରସୋର କରାଯିବ । ଏଥିସହ ସାଦା ପୋଷାକରେ ପୁଲିସ୍ ଅଫିସର ଓ କର୍ମଚାରୀ ଜନଗହଳିପୂର୍ଣ୍ଣ ସ୍ଥାନରେ ପଇଁତରା ମାରିବେ । ପୂଜା ପୂର୍ବରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଉରକେଲା ଏସ୍ପି ନିତେଶ ୱାଧୱାନୀଙ୍କ ନେତୃତ୍ୱରେ ସହରର ଆଇନଶୃଙ୍ଖଳା ସ୍ଥିତି ଉପରେ ଘନଘନ ସମୀକ୍ଷା କରାଯାଉଛି ।