ନୂଆଦିଲ୍ଲୀ,୧୫।୯:  କାତାରରେ ୫୦ ମୁସଲମାନ ଦେଶର ନେତାଙ୍କ ବୈଠକ ଚାଲିଛି। ତେବେ ଏହା ଭିତରେ ଗାଜାର ସ୍ଥିତି ସଙ୍ଗୀନ ହୋଇଛି। ଇସ୍ରାଏଲର ଧମକ ପରେ ଗତକାଲି ରାତିରେ ପ୍ରାୟ ୨୦ ହଜାର ଲୋକ ଗାଜାରୁ ପଳାୟନ କରିଛନ୍ତି। ବହୁ ସଂଖ୍ୟାରେ ଲୋକେ ନିଜର ଜରୁରୀ ଜିନିଷ ନେଇ ଗାଜା ଛାଡି ଦେଇଛନ୍ତି। କେହି ଚାଲିଚାଲି ପଳାଇ ଯାଉଥିଲେ, ତ ଆଉ କେହି ଗାଡିରେ ଜିନିଷ ପତ୍ର ନେଇ ବାହାରି ଯାଇଥିଲେ। ସେପଟେ ଗାଜାରେ ମଧ୍ୟ ଇସ୍ରାଏଲ ସୈନିକଙ୍କ ସଂଖ୍ୟା ବଢି ଯାଇଛି। ଏବେ ଯୁଦ୍ଧ କେବଳ ଆକାଶ ମାର୍ଗ ନୁହେଁ ସ୍ଥଳଭାଗରୁ ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ ସୋମବାର ସକାଳୁ ଏପର୍ଯ୍ୟନ୍ତ ୨୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଇସ୍ରାଏଲ ପକ୍ଷରୁ ଦ୍ରୁତ ଗତିରେ ଜାରି ଆକ୍ରମଣ କାରଣରୁ ଗାଜାର ଭୟର ବାତାବରଣ ସୃଷ୍ଟି ହୋଇଛି। 

ନିକଟ ଭବିଷ୍ୟତରେ ହମାସ ଓ ଇସ୍ରାଏଲ ଭିତରେ କୌଣସି ପ୍ରକାର ଅସ୍ତ୍ରବିରତି ସମ୍ଭାବନା ମଧ୍ୟ ନାହିଁ। ଏହି କାରଣରୁ ଲୋକେ ଅଧିକ ଭୟଭୀତ ହୋଇ ଜୀବନ ବଞ୍ଚାଇ ପଳାୟନ କରିବାକୁ ଚେଷ୍ଟା କରୁଛନ୍ତି। କେବଳ ଗାଜା ନୁହେଁ, ଅନ୍ୟ ପକ୍ଷେ କାତାରର ସ୍ଥିତି ବି ଖରାପ ହୋଇପଡିଛି। ବର୍ତ୍ତମାନ ଦୋହାରେ ଇସ୍ରାଏଲର ବିରୋଧରେ ପ୍ରସ୍ତାବ ଆଣିବା ଉପରେ ମନ୍ଥନ ହେଉଛି। ଏହାଛଡା ମୁସଲମାନ ଦେଶର ଏକତାକୁ ମଧ୍ୟ ଏହି ମଞ୍ଚରୁ ଦୁନିଆକୁ ଦେଖିବାର ଚେଷ୍ଟା କରାଯାଉଛି। ନେତନ୍ୟାହୁ କହିଛନ୍ତି ସେ ଗାଜାରେ ସକ୍ରିୟ ଜଣେ ଜଣେ ଆତଙ୍କବାଦୀଙ୍କୁ ଶେଷ କରିବେ। ଗତ ସପ୍ତାହରେ ଇସ୍ରାଏଲ ଚେତାବନୀ ଦେଇଥିଲା ଗାଜାରେ ରହୁଥିବା ଲୋକ ସେଠାରୁ ବାହାରି ଯାଆନ୍ତୁ।

ଗାଜାରେ ମୋଟ ୧୦ ଲକ୍ଷରୁ ଅଧିକ ପାଲେଷ୍ଟନୀୟ ରୁହନ୍ତି। ଏଥିରୁ କିଛି ଲକ୍ଷ ଲୋକ ଗାଜା ଛାଡି ସାରିଲେଣି। ଇସ୍ରାଏଲ ଚେତାବନୀ ଦେଇଥଲା, ସେଠାର ଲୋକ ଦକ୍ଷିଣ ଭାଗରେ ଯାଇ ଶରଣ ନେଇ ପାରନ୍ତି। କିନ୍ତୁ ଏଠାରେ ଥିବା ଲୋକଙ୍କ ମନରେ ଏତେ ଭୟ ଯେ, ସେମାନେ କୌଣସି ଅଞ୍ଚଳକୁ ସୁରକ୍ଷିତ ମନେକରୁ ନାହାନ୍ତି।