ନୂଆଦିଲ୍ଲୀ,୧୭/୧୦: ମାଓସଂଗଠନକୁ ବଡ଼ ଝଟକା ଲାଗିଛି । ନକ୍ସଲବାଦର ଅନ୍ତ ଏବେ ନିକଟ । 'ଲାଲ ଆତଙ୍କ' ଘଟାଇବା ଛାଡି ହାତରେ ଗୋଲାପ ଓ ସମ୍ବିଧାନ ଧରି ଅହିଂସାର ପଥ ଆପଣେଇଛନ୍ତି । ଛତିଶଗଡ଼ ବସ୍ତର ଜିଲ୍ଲା ମୁଖ୍ୟାଳୟ ଜଗଦଲପୁରରେ ଆତ୍ମସମର୍ପଣ କରିଛନ୍ତି ୨୦୮ ନକ୍ସଲ । ସେମାନଙ୍କ ମଧ୍ୟରେ ୧୧୦ ମହିଳା ଓ ୯୮ ପୁରୁଷ ଅଛନ୍ତି । ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ଉପସ୍ଥିତିରେ ଅସ୍ତ୍ର ଛାଡିଛନ୍ତି ନକ୍ସଲ । ଏହା ସବୁଠୁ ବଡ଼ ନକ୍ସଲଙ୍କ ଆତ୍ମସମର୍ପଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ଆତ୍ମସମର୍ପଣ କରିଥିବା ନକ୍ସଲ ଏବେ ସରକାରଙ୍କ ପୁନର୍ବାସ ଯୋଜନାର ଲାଭ ପାଇପାରିବେ । ଏହା ସହିତ, ଆବୁଝମାଡ ଅଞ୍ଚଳର ଅଧିକାଂଶ ଅଞ୍ଚଳ ଏବେ ନକ୍ସଲ ମୁକ୍ତ ହେବ ।
ଦେଶର ବଡ଼ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ନକ୍ସଲବାଦ । ୨୦୨୬ ସୁଦ୍ଧା ଭାରତକୁ ନକ୍ସଲମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହି ସମୟ ନକଟତମ ହେଉଛି । କିଛି ମାସ ମଧ୍ୟରେ ଶହ ଶହ ନକ୍ସଲ ନିହତ ହୋଇଛନ୍ତି । ସ୍ୱେଚ୍ଛାକୃତ ଭାବେ ବନ୍ଧୁକ ଛାଡ଼ି ଶାନ୍ତି ବାଟ ଆପଣେଇଛନ୍ତି । ଛତିଶଗଡ଼ ଜଗଦଲପୁରରେ ଆଜି ୨୦୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ୧୫୩ ଘାତକ ଅସ୍ତ୍ରଶସ୍ତ୍ର ଛାଡିଛନ୍ତି । ହାତରେ ଗୋଲାପ ଫୁଲ ଓ ସମ୍ବିଧାନ ଧରି ଶାନ୍ତିର ପଥ ବାଛିଛନ୍ତି । ୧୫୩ ଘାତକ ଅସ୍ତ୍ରଶସ୍ତ୍ର ଭିତରେ AK 47 ରାଇଫଲ୍ ୧୯ ବନ୍ଧୁକ , SLR ରାଇଫଲ୍ ୧୭ ବନ୍ଧୁକ , INSAS ରାଇଫଲ୍ ୨୩ ବନ୍ଧୁକ ରହିଛି ।
ଏହି ଆତ୍ମସମର୍ପଣ ପରେ, ନକ୍ସଲ କାର୍ଯ୍ୟକାଳପର ପ୍ରମୁଖ କେନ୍ଦ୍ର ଥିବା ଆବୁଝମାଡ଼ ଏବଂ ଉତ୍ତର ବସ୍ତର ନକ୍ସଲ ଆତଙ୍କମୁକ୍ତ ହୋଇଛି । ବର୍ତ୍ତମାନ ଦକ୍ଷିଣ ବସ୍ତରରେ କିଛି ନକ୍ସଲ ରହିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଦିନକ ପୂର୍ବରୁ କହିଥିଲେ ଖୁବଶୀଘ୍ର ଅବଶିଷ୍ଟ ନକ୍ସଲ ନିପାତ ହେବେ । ନକ୍ସଲଙ୍କ ଗଡ ଥିବା ଆବୁଝମାଡ ଓ ବସ୍ତର ନକ୍ସଲ ହିଂସା ମୁକ୍ତ ହେଉଛି । ୨୦୨୪ ଠାରୁ ଛତିଶଗଡ଼ରେ ୨,୧୦୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ୧,୭୮୫ ଜଣଙ୍କୁ ଗିରଫ କରାଯାଇଛି । ୪୭୭ ନିହତ ହୋଇଛନ୍ତି । ଦିନକ ତଳେ ଛତିଶଗଡରେ ୨୭ ଓ ମହାରାଷ୍ଟ୍ରରେ ୬୧ ଜଣ ନକ୍ସଲ ଅସ୍ତ୍ର ଛାଡିଥିଲେ ।