ଆଠମଲ୍ଲିକ, ୨୨।୯(ଆପ୍ର) : ଆଠମଲ୍ଲିକ ମାଧପୁର -ବାମୁର ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ଥାନା ଅଞ୍ଚଳ ବେଲପୁଞ୍ଜି ଗ୍ରାମର ଅରୁଣ କୁମାର ସେଠୀ ଓ ବୌଦ୍ଧ ଜିଲ୍ଲା ମୁରଶୁଣ୍ଢି ଗ୍ରାମର ସୁଶାନ୍ତ ମିଶ୍ର। ସେମାନଙ୍କ ଠାରୁ ଅବକାରୀ ପୁଲିସ ୨୧ କେଜି ଗଞ୍ଜେଇ ଜବତ୍ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହ ଚୋରା ଚାଲାଣରେ ବ୍ୟବହୃତ କାରକୁ ଅବକାରୀ ପୁଲିସ ଜବତ୍ କରିଛି।
ବୌଦ୍ଧ ଅଞ୍ଚଳରୁ ମହାନଦୀରେ ଡଙ୍ଗା ସାହାଯ୍ୟରେ ଆଠମଲ୍ଲିକର ବେଲ ପୁଞ୍ଜି ଘାଟକୁ ଗଞ୍ଜେଇ ଚାଲାଣ ହୋଇଥିଲା। ବେଲପୁଞ୍ଜିରୁ ମାଧପୁର - ବାମୁର୍ ରାସ୍ତା ଦେଇ ଗଞ୍ଜେଇ ଭୁବନେଶ୍ୱର ଚାଲାଣ ହେଉଥିବା ଖବର ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ଆଠମଲ୍ଲିକ ଅବକାରୀ ପୁଲିସ ମାନଜୋର ଡ୍ୟାମ ନିକଟରେ ଛକି ରହିଥିଲେ। ଗଞ୍ଜେଇ ଚାଲାଣ ବେଳେ ଚାଲାଣକାରୀକୁ ମାଡି ବସିଥିଲେ। ଏହି ଚଢାଉରେ ଅବକାରୀ ନିରୀକ୍ଷକ ପବିତ୍ର ମୋହନ ମାଝି ,ଉପ ନିରୀକ୍ଷକ ନିରଞ୍ଜନ ସାହୁ ସାମିଲ ଥିଲେ।