ନୂଆଦିଲ୍ଲୀ: ଯୋଧପୁରରୁ ଜୟସେଲମେର ଯାଉଥିବା ଏକ ବସରେ ନିଆଁ ଲାଗିଯିବା କାରଣରୁ ୨୧ ଜଣ ଲୋକ ନିଆଁରେ ପୋଡିଯାଇ ମୃତ୍ୟୁବରଣ କରିବା ସହ ୧୫ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଛି।
ଏହି ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ରାତିରେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, "ରାଜସ୍ଥାନର ଜୟସେଲମେରରେ ଏକ ଦୁର୍ଘଟଣା ଯୋଗୁଁ ହୋଇଥିବା ଜୀବନହାନିରେ ମୁଁ ଅତ୍ୟନ୍ତ ମର୍ମାହତ। ଏହି କଷ୍ଟକର ସମୟରେ ମୋର ସମବେଦନା ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାର ସହିତ ଅଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି,"।
ସୂଚନା ମୁତାବକ, ମଙ୍ଗଳବାର ଦିନ ପ୍ରାୟ ୩ଟା ସମୟରେ ୫୭ ଜଣ ଯାତ୍ରୀଙ୍କୁ ନେଇ ଏହି ବସଟି ଜୟସେଲମେରରୁ ଯାତ୍ରା ଆରମ୍ଭ କରିଥିଲା। ବସଟି ଜୈସଲମେର-ଯୋଧପୁର ରାଜପଥରେ ଯାତ୍ରା କରୁଥିବା ସମୟରେ ଗାଡ଼ିର ପଛ ପାଖରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏ ସଂକ୍ରାନ୍ତରେ ଜାଣିପାରି ଡ୍ରାଇଭର ତୁରନ୍ତ ରାସ୍ତା କଡ଼ରେ ବସ୍ଟିକୁ ଅଟକାଇଥିଲେ। କିନ୍ତୁ ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ହଠାତ୍ ସମ୍ପୂର୍ଣ୍ଣ ବସରେ ନିଆଁ ଲାଗିଯାଇଥିଲା।
ସ୍ଥାନୀୟ ଲୋକ ଏବଂ ରାସ୍ତାରେ ଯାଉଥିବା ଲୋକମାନେ ସାହାଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ମଧ୍ୟ ପହଞ୍ଚିଥିଲେ। ଆହତ ଯାତ୍ରୀମାନଙ୍କୁ ପ୍ରଥମେ ଜୟସଲମେରର ଜବାହର ହସ୍ପିଟାଲକୁ ନିଆଯାଇଥିଲା ପରେ ଗୁରୁତର ଆହତ ୧୬ ଜଣ ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ଯୋଧପୁରର ଏକ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଉକ୍ତ ୧୬ ଜଣଙ୍କ ମଧ୍ୟରୁ ଜଣେ ଯାତ୍ରୀ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।
ପ୍ରଥମିକ ତଦନ୍ତରୁ ସଟସର୍କିଟ କାରଣରୁ ବସରେ ଏହି ନିଆଁ ଲାଗିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ତେବେ ଦୁର୍ଘଟଣା ଘଟିବା ପରେ ଜୟସଲମେର ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଥିବା ନେଇ ନିଶ୍ଚିନ୍ତ କରିଛି। ଏନେଇ ଜିଲ୍ଲାପାଳ ପ୍ରତାପ ସିଂହ ସ୍ଥାନୀୟ ଅଧିକାରୀମାନଙ୍କୁ ସମସ୍ତ ଆହତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପ୍ରଭାବିତଙ୍କ ବିଷୟରେ ସୂଚନା ଚାହୁଁଥିବା ପରିବାରଲୋକଙ୍କ ପାଇଁ ମଧ୍ୟ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।