ଭୁବନେଶ୍ୱର,୨୯/୧୦: ଅଗ୍ନିଶମ ବାହିନୀରେ ଯୋଡ଼ି  ହୋଇଛି ରୋବଟିକ୍ସ ମନିଟର ।  ନିଆଁ ଲିଭାବେଳେ ଆଗ୍ନିକମାନେ  ଯେଉଁଠି ପହଞ୍ଚି ପାରୁନାହାନ୍ତି, ଏହି  ରୋବଟିକ୍ସ ମନିଟର ସେଠାରେ ବିନା  ବାଧାରେ ପହଞ୍ଚି ନିଆଁ ଲିଭାଇବ ।  ମଙ୍ଗଳବାର ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍‌ଘାଟନ କରିବେ । 

ଏହି ରୋବଟିକ୍ସ ମନିଟର ଅଗ୍ନିଶମ  ବାହିନୀର ମୁଖ୍ୟ ଅସ୍ତ୍ର ପାଲଟିବ ।  ଏହାକୁ ସମ୍ପୂର୍ଣ୍ଣ ରିମୋଟ ଦ୍ୱାରା ନିୟନ୍ତ୍ରଣ  କରାଯାଉଛି । ପାଇପ୍‌ ଯୋଗେ ପାଣି  ଟାଙ୍କି ସହ ମନିଟରକୁ ଯୋଡ଼ାଯାଉଛି ।  ପାଖାପାଖି ୧ କିମି ଦୂର ପର୍ଯ୍ୟନ୍ତ ଯାଇ  ପାଣି ସ୍ପ୍ରେ କରି ନିଆଁ ଲିଭାଇ ପାରୁଛି । ମନିଟରକୁ ଥଣ୍ଡା ରଖିବା ପାଇଁ ୬ଟି  ସ୍ପ୍ରିଙ୍କଲର ଲଗାଯାଇଛି । ଉଚ୍ଚ ତାପଯୁକ୍ତ  ନିଆଁ ଭିତରେ ଏହି ସ୍ପ୍ରିଙ୍କଲର ମେସିନ  ଉପରକୁ ପାଣି ଛିଞ୍ଚି ଥଣ୍ଡା ରଖୁଛି ।  ମନିଟର ଉପରେ ୨ଟି ୩୬୦ ଡିଗ୍ରୀ  ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ଲାଗିଛି ।  ଗୋଟିଏ ସାଧାରଣ କ୍ୟାମେରା । ଯାହାକି, ମନିଟରଟିକୁ ଆଗେଇ ନେବା ପାଇଁ  ରାସ୍ତା ଦେଖାଇବ । ଅନ୍ୟଟି ଥର୍ମାଲ  କ୍ୟାମେରା । ଅନ୍ଧାର କିମ୍ବା ଧୂଆଁଭର୍ତ୍ତି  କୋଠରୀରେ କୌଣସି ପଦାର୍ଥ ଦୂର  ଜାଗାରେ ଥିଲେ ତାହା ଥର୍ମାଲ କ୍ୟାମେରା  ଯୋଗ ଜଣାପଡି଼ଯିବ । ଥର୍ମାଲ କ୍ୟାମେରା  ଫୁଟେଜ ଅନୁସାରେ ମନିଟରରୁ  ପାଣି ସ୍ପ୍ରେ କରାଯାଉଛି । ରିମୋଟ  ଜରିଆରେ କ୍ୟାମେରାକୁ ଉପର-ତଳ  କରାଯାଇ ପାରୁଛି । ମନିଟରଟି ଗଳିକନ୍ଦି  ରାସ୍ତାରେ ଅନାୟାସରେ ଯାଇପାରିବ । 

ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ  ଅଧିକାରୀ ସୂଚନା ଦେଇଛନ୍ତି ଯେ  ରୋବଟିକ୍ସ ମନିଟରର ବିଶେଷତ୍ୱ  ହେଉଛି, ଅଗ୍ନିକାଣ୍ଡ ଘଟିଥିବା କୋଠାର  ବିପଦପୂର୍ଣ୍ଣ ଅଞ୍ଚଳକୁ ରୋବୋଟିକ୍ସ  ମେସିନ୍‌ଟି ଯାଇପାରିବ । ୨୦୨୦  ଡିସେମ୍ବର ୧୦ ତାରିଖରେ ଅହମ୍ମଦବାଦର  ଏକ କମ୍ପାନୀ ରୋବଟିକ୍ସ ମେସିନ୍‌ର  ଡେମୋ ଦେଖାଇଥିଲା । ନିଆଁ ଲିଭାଇବା  ପରୀକ୍ଷାରେ ଏହି ମେସିନ ବିଫଳ  ହେବାରୁ ପରବର୍ତ୍ତୀ ସମୟରେ ଉକ୍ତ  କମ୍ପାନୀଠୁ ମେସିନ୍‌ କିଣିବାକୁ ଅଗ୍ନିଶମ  ବିଭାଗ ମନା କରିଥିଲା । ବର୍ତ୍ତମାନ ଦିଲ୍ଲୀର  ଏକ ସଂସ୍ଥାଠାରୁ ୨୨ଟି ରୋବଟିକ୍ସ ମନିଟର  କିଣାଯାଇଛି । ଗୋଟିଏ ମେସିନ୍‌ର ଦାମ  ୭୦ ଲକ୍ଷ ଟଙ୍କାରୁ ୯୫ ଲକ୍ଷ ଟଙ୍କା ହେବ ।  ମଙ୍ଗଳବାର ବରମୁଣ୍ଡାସ୍ଥିତ ଓଡି଼ଶା ଫାୟାର  ଆଣ୍ଡ ଡିଜାଷ୍ଟର ରେସ୍‌ପୋନ୍ସ ଏକାଡେମୀ  (ଓଫଡ୍ରା)ରେ ଆୟୋଜିତ ଉତ୍ସବରେ  ଏହି ମନିଟର ଡେମୋ ଦେଖାଇବ ।