କଟକ, ୨୪/୦୫: ରାସନ୍‌ କାର୍ଡ ସହ ଆଧାର କାର୍ଡର ଚାଲିଥିବା ଇ-କେୱାଇସି ସଂଯୋଗ ଏବେ ବିଚିତ୍ର ସ୍ଥିତିରେ ଝୁଲି ରହିଛି । ପ୍ରଥମେ ଏହି ପ୍ରକ୍ରିୟା ଜୋର୍‌ଦାର୍‌ ଚାଲିଲା । ଦୈନିକ  ୪ରୁ ୫ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି  ସଂଯୋଗ କରାଯାଉଥିଲା । କିନ୍ତୁ ଏବେ ପ୍ରାୟ ଗୋଟେ ମାସ ହେବ ଦୈନିକ ୩୦ରୁ ୪୦  ହଜାର ହିତାଧିକାରୀଙ୍କ ମଧ୍ୟ ଇ-କେୱାଇସି  ସଂଯୋଗ ସମ୍ଭବ ହୋଇପାରୁନି । ଆହୁରି ପ୍ରାୟ ୨୪ଲକ୍ଷ ହିତାଧିକାରୀ ଇ-କେୱାଇସି ସଂଯୋଗରୁ  ବଞ୍ଚିତ ହୋଇଛନ୍ତି । ବିଶେଷ କରି ଛୋଟ ପିଲା  (୧ରୁ ୧୦ବର୍ଷ ବୟସର ପିଲା) ଏବଂ ବୟସ୍କ  (୬୦ରୁ ଊଦ୍ଧ୍ୱର୍) ବ୍ୟକ୍ତିଙ୍କ ଆଙ୍ଗୁଠି ଟିପ ଚିହ୍ନ  ବ୍ରାୟୋମେଟ୍ରିକ ମେସିନ୍‌ ନେଇପାରୁନାହିଁ ।  ସେହିପରି ଆଧାର କାର୍ଡ ଅପ୍‌ଡେଟ୍‌  ହୋଇନଥିବାରୁ ଏହି ହିତାଧିକାରୀମାନଙ୍କର  ଇ-କେୱାଇସି ସଂଯୋଗ ସମ୍ଭବ ହୋଇପାରୁନାହିଁ ।  ଏଭଳି ହିତାଧିକାରୀଙ୍କୁ ପ୍ରଶାସନ କାଟିବ ନା’  ରଖିବ ତାହାକୁ ନେଇ ଅକଳରେ ପଡ଼ିଯାଇଛି ।  

ଭୂତ ହିତାଧିକାରୀଙ୍କୁ କାଟିବା ଆଳରେ ନୂଆ  ରାଜ୍ୟ ସରକାର ପ୍ରତ୍ୟେକ ରାସନ୍‌ କାର୍ଡ ସହ  ଆଧାର କାର୍ଡ ସଂଯୋଗ ଲାଗି ଇ-କେୱାଇସି ବ୍ୟବସ୍ଥା ଆରମ୍ଭ କରିଥିଲେ । ଅର୍ଥାତ ଗୋଟେ ରାସନ୍‌ କାର୍ଡରେ ଥିବା ପ୍ରତ୍ୟେକ ହିତାଧିକାରୀଙ୍କ ଆଧାର କାର୍ଡ ସହ ରାସନ୍‌ କାର୍ଡକୁ ସଂଯୋଗ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ଲୋକେ ମାଗଣା ଚାଉଳ ପାଇଁ ହଜାର ହଜାର କିମି ଦୂରରୁ ଘରକୁ ଧାଇଁଥିଲେ । ସେତେବେଳେ ପ୍ରତ୍ୟେକ ଡିଲର ପଏଣ୍ଟରେ ଭୀଷଣ ଭିଡ଼  ଦେଖାଦେଇଥିଲା । ଦୈନିକ ୪ରୁ ୫ଲକ୍ଷ ଲୋକଙ୍କର ଇ-କେୱାଇସି ସଂଯୋଗ କରାଯାଉଥିଲା । ରାଜ୍ୟରେ ମୋଟ୍‌ ୩ କୋଟି ୨୮ ଲକ୍ଷ  ୨୯ ହଜାର ୯୭୦ଜଣ ହିତାଧିକାରୀ ଅଛନ୍ତି ।  

ସେମାନଙ୍କ ମଧ୍ୟରୁ ୯୨% ହିତାଧିକାରୀ ଅର୍ଥାତ  ୩କୋଟି ୩ଲକ୍ଷ ୮୪ ହଜାର ୧୩୭ ଜଣ  ହିତାଧିକାରୀଙ୍କର ବର୍ତ୍ତମାନ ସୁଦ୍ଧା ଇ-କେୱାଇସି  ସଂଯୋଗ ଶେଷ ହୋଇଛି । ୫ ଲକ୍ଷ ହିତାଧିକାରୀଙ୍କ  ନାମ ରାସନ୍‌ କାର୍ଡ ତାଲିକାରୁ କଟାଯାଇଛି । ସେହି  ସ୍ଥାନରେ କିଛି ନୂତନ ହିତାଧିକାରୀଙ୍କ ନାମକୁ  ଯୋଡ଼ାଯାଇଛି । ରାଜ୍ୟରେ ‘ରାଜ୍ୟ ଖାଦ୍ୟ ସୁରକ୍ଷା  ଯୋଜନା’ରେ ଯେଉଁ ହିତାଧିକାରୀ ରହିଥିଲେ  ସେମାନଙ୍କୁ ‘ଜାତୀୟ ଖାଦ୍ୟ ସୁରକ୍ଷା’ ଯୋଜନାରେ  ସାମିଲ୍‌ କରାଯାଇଛି । ଏହାବାଦ୍‌ ଆହୁରି ୨୪ଲକ୍ଷ  ହିତାଧକାରୀଙ୍କ ଇ-କେୱାଇସି ସଂଯୋଗ ସମ୍ଭବ ହୋଇପାରୁ ନାହିଁ । 

ଏ ସମ୍ପର୍କରେ ଯୋଗାଣ ବିଭାଗର  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୧ରୁ  ୧୦ବର୍ଷ ପର୍ଯ୍ୟନ୍ତ ଅନେକ ପିଲାଙ୍କର ଆଧାର କାର୍ଡ  ନାହିଁ । ଯେଉଁମାନଙ୍କ ଅଛି ସେମାନଙ୍କର ଅପ୍‌ଡେଟ୍‌  ନାହିଁ । ଫଳରେ ଏହି ବୟସର ପିଲାମାନଙ୍କର  ଇ-କେୱାଇସି ସଂଯୋଗ ହୋଇପାରୁ ନାହିଁ ।  ଅପରପକ୍ଷରେ ୬୦ବର୍ଷ ବୟସରୁ ଊଦ୍ଧ୍ୱର୍ ବୟସର  ବ୍ୟକ୍ତିଙ୍କର ଟିପ ଚିହ୍ନ ନେଉନଥିବାରୁ ସେମାନଙ୍କର  ମଧ୍ୟ ଇ-କେୱାଇସି ସଂଯୋଗ ହୋଇପାରୁ ନାହିଁ ।   

କିନ୍ତୁ ନିୟମ ଅନୁଯାୟୀ ଯେଉଁମାନଙ୍କର  ଇ-କେୱାଇସି ସଂଯୋଗ ନହେବ ସେମାନଙ୍କ  ନାମକୁ ରାସନ କାର୍ଡ ତାଲିକାରୁ କାଟି ଦିଆଯିବ । ସରକାର ସମୟ ଗଡ଼ାଇ ଚାଲିଥିବାରୁ ବାଦ୍‌  ରହିଯାଇଥିବା ହିତାଧିକାରୀମାନେ ଇ-କେୱାଇସି  ସଂଯୋଗ ପାଇଁ ସମୟ ପାଉଛନ୍ତି । କିନ୍ତୁ ଯେତେବେଳେ ଏହି ସଂଯୋଗ ପାଇଁ ଦିଆଯାଉଥିବା  ସମୟ ସୀମା ଶେଷ ହୋଇଯିବ ସେତେବେଳେ  ଏହି ୨୪ଲକ୍ଷ ହିତାଧିକାରୀ କିପରି ରାସନ୍‌  ସାମଗ୍ରୀ ପାଇବେ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି  ହୋଇଛି । ଅପରପକ୍ଷରେ ଏବେ ପ୍ରଶାସନ ପକ୍ଷରୁ  ଯେଉଁମାନଙ୍କର ନାମ ତାଲିକାରେ ରହିଛି କିନ୍ତୁ  ଇ-କେୱାଇସି ସଂଯୋଗ ହୋଇନାହିଁ ସେହିଭଳି  ହିତାଧିକାରୀଙ୍କ ଘରକୁ ଯାଇ ଯାଞ୍ଚ୍‌ କରିବା ପରେ  ସେମାନଙ୍କ ନାମ ରହିବ କି’ କଟିବ ତାହା ସ୍ଥିର  କରାଯାଉଛି । 

ଏହିଭଳି ଭାବେ ଯଦି ଦେଖାଯାଏ  ଅତିବେଶୀରେ ଆଉ ୨/୩ଲକ୍ଷ ଲୋକଙ୍କ ନାମ  ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାରୁ ବାଦ୍‌ ଦିଆଯାଇପାରେ । କିନ୍ତୁ ଅନ୍ୟ ଯେଉଁମାନେ ଟିପ  ନନେବା କାରଣରୁ ଇ-କେୱାଇସି ସଂଯୋଗରୁ  ବଞ୍ଚିତ ହୋଇଯିବେ ସେମାନଙ୍କ କ୍ଷେତ୍ରରେ ପ୍ରଶାସନ  କି’ ପଦକ୍ଷେପ ନେବ ତାହାକୁ ନେଇ ଉତ୍କଣ୍ଠା  ପ୍ରକାଶ ପାଇଛି । ସୁପ୍ରିମ୍‌କୋର୍ଟ ଏବଂ ହାଇକୋର୍ଟଙ୍କ  ଏକ ଆଦେଶ ଅନୁଯାୟୀ, ଆଧାର କାର୍ଡ ନଥିଲେ  ମଧ୍ୟ ଜଣେ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ  ପାଇବାରୁ ବଞ୍ଚିତ କରାଯାଇପାରିବ ନାହିଁ । ଏଭଳି  ସ୍ଥିତିରେ ଏହି ୨୪ଲକ୍ଷ ହିତାଧିକାରୀଙ୍କୁ କଟାଯିବ  ନା’ କୌଣସି ବିକଳ୍ପ ରାସ୍ତା ଗ୍ରହଣ କରାଯିବ ତାକୁ  ନେଇ ପ୍ରଶାସନ ଏବେ ଚିନ୍ତାରେ ପଡ଼ିଯାଇଛି