ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆଳୁରେ ଓଡ଼ିଆଙ୍କ ଶରଧା, ଜଣପିଛା ବର୍ଷକୁ ଖାଉଛନ୍ତି ୨୫ କିଲୋ

Published By : Rasmita Pradhan | November 6, 2024 9:48 AM

ଭୁବନେଶ୍ୱର, ୦୬/୧୧ : ଓଡିଆଙ୍କୁ ଆଳୁ ଶରଧା । ଓଡିଶାର ଜଣେ ବ୍ୟକ୍ତି ବର୍ଷକୁ ପ୍ରାୟ ୨୫ କେଜି ଆଳୁ ଖାଇଯାଉଛନ୍ତି । ‘ବ୍ଲୁ ପ୍ରିଣ୍ଟ୍‌ ଅଫ୍‌ ପଟାଟୋ କଲଟିଭେସନ୍‌ ଅଫ୍‌ ଓଡିଶା’ ନାମକ ଏକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଓୟୁଏଟି, ଉଦ୍ୟାନ କୃଷି ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ପ୍ରଭୁଚରଣ ଲେଙ୍କାଙ୍କ ନେତୃତ୍ୱରେ କୃଷି ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଅମରେଶ୍ୱର ମିଶ୍ର, କୃଷି ବିଶେଷଜ୍ଞ ଅବିନାଶ ମହାନ୍ତି ଏବଂ ଅଭିଜିତ ଭଟ୍ଟାଚାର୍ଜି ମିଳିତ ଉଦ୍ୟମରେ ଏହି ସର୍ଭେ ହୋଇଛି । 

ଓଡିଶାରେ ମୁଣ୍ଡପିଛା ୨୫.୪ କେଜି ଆଳୁ ଖାଦ୍ୟ ଭାବେ ବ୍ୟବହାର ହେଉଛି । ତଦାନୁସାରେ ଓଡିଶାର ୪.୨ କୋଟି ଲୋକଙ୍କୁ ବାର୍ଷିକ ୧୦.୬୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁ ଆବଶ୍ୟକ । ତେବେ ଓଡିଶା ନିଜର ବାର୍ଷିକ ଆଳୁ ଆବଶ୍ୟକତାର ପ୍ରାୟ ୨୦ ପ୍ରତିଶତ ଆଳୁ ଉତ୍ପାଦନ କରିଥାଏ । ଆଉ ନିଅଣ୍ଟ ଆଳୁ ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟରୁ ଆମଦାନୀ କରିଥାଏ । ଆମ ରାଜ୍ୟରେ ଉତ୍ପାଦିତ ପ୍ରମୁଖ ପନିପରିବା ଭିତରେ ଆଳୁ ଅନ୍ୟତମ । ରାଜ୍ୟର ପ୍ରାୟ ୧୫ ହଜାର ହେକ୍ଟରରୁ ଅଧିକ ଜମିରେ ଆଳୁ ଚାଷ ହେଉଥିବା ବେଳେ ବାର୍ଷିକ ପ୍ରାୟ ୨.୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁ ଉତ୍ପାଦନ ହୋଇଥାଏ । ତେବେ ରାଜ୍ୟର କେତେକ ଜିଲ୍ଲାରେ ପାଣିପାଗ ଏବଂ ମୃତ୍ତିକା ଆଳୁ ଚାଷ ଲାଗି ବେଶ୍‌ ଉପଯୋଗୀ ବୋଲି ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟର ପ୍ରମୁଖ ଆଳୁ ଉତ୍ପାଦନକାରୀ ଜିଲ୍ଲାଗୁଡିକ ହେଲା- ପୁରୀ, କଟକ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଏବଂ କୋରାପୁଟ । ସେହିପରି ଜୁଲାଇ-ନଭେମ୍ବର ଏବଂ ନଭେମ୍ବର-ମାର୍ଚ୍ଚ ମାସଗୁଡ଼ିକ ହେଉଛି ଆଳୁ ଉତ୍ପାଦନ ଲାଗି ଉପଯୁକ୍ତ ସମୟ । 

ଓଡିଶାରେ ସାଧାରଣତଃ ରବି ଫସଲ ବେଳେ ଆଳୁ ଚାଷ ହୋଇଥାଏ । କିନ୍ତୁ ଗତ କିଛି ବର୍ଷ ହେଲା ଖରିଫ୍‌ ଋତୁରେ କୋରାପୁଟ ଭଳି ପାହାଡ଼ିଆ ଅଞ୍ଚଳରେ ଆଳୁ ଚାଷରେ ବଡ ସଫଳତା ମିଳିଛି । ଆମ ରାଜ୍ୟରେ ‘କୁଫ୍ରି ଜ୍ୟୋତି’ ପ୍ରଜାତିର ଆଳୁ ବେଶୀ ଉତ୍ପାଦିତ ହୋଇଥାଏ ବୋଲି ରିପୋର୍ଟରୁ ଜଣାପଡିଛି । ଏହା ପ୍ରତି ହେକ୍ଟର ପିଛା ପ୍ରାୟ ୧୨ ଟନ୍‌ ଉତ୍ପାଦନ ହେଉଛି । ବିଗତ କିଛି ବର୍ଷ ହେଲା, ଆଳୁ ଯୋଗାଣରେ ଅଭାବ ଦେଖାଦେବା ସହ ଖୁଚୁରା ବଜାରରେ ଆଳୁ କେଜି ୫୦-୬୦ ଟଙ୍କାରେ ବିକ୍ରି ହେଲା । ଏଣୁ ଓଡ଼ିଶାବାସୀଙ୍କ ଆଳୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ସରକାର ଆଳୁ ଚାଷ ଲାଗି ଅଧିକ ପ୍ରୋତ୍ସାହିତ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି । ହେକ୍ଟର ପିଛା ୧ ଲକ୍ଷ ୪୦ ହଜାରରୁ ୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚରେ ଜଣେ ବ୍ୟକ୍ତି ଆଳୁ ଚାଷ କରିପାରିବେ । ଜୁନ-ଜୁଲାଇରେ ରାଜ୍ୟର ୧୦ଟି ଆଗ୍ରୋ କ୍ଲାଇମେଟିକ୍‌ ଜୋନ୍‌ଗୁଡିକରେ ଏହି ସର୍ଭେ ହୋଇଥିଲା । ଆଳୁ ଉତ୍ପାଦନରେ ରାଜ୍ୟକୁ କେଉଁ ଦିଗରେ ଆତ୍ମନିର୍ଭରଶୀଳ କରାଯାଇପାରିବ ଏହି ସର୍ଭେର ଉଦ୍ଦେଶ୍ୟ ଥିଲା । ରାଜ୍ୟରେ ଆଳୁର ଆବଶ୍ୟକତା, ଉତ୍ପାଦନ, ସଂରକ୍ଷଣ ଏବଂ ଅନ୍ୟାନ୍ୟ ଦିଗକୁ ନେଇ ପ୍ରସ୍ତୁତ ଏହି ସବିଶେଷ ରିପୋର୍ଟକୁ କୃଷି ଓ ଉଦ୍ୟାନ କୃଷି ବିଭାଗକୁ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.