ଭୁବନେଶ୍ୱର,୦୯/୧୨: ମୋର ଓଡ଼ିଶା ମ୍ୟୁନିସିପାଲିଟି ଆଡ୍‌ମିନିଷ୍ଟ୍ରେଟିଭ୍‌ ସର୍ଭିସ ବିଭାଗ କମିଶନରଙ୍କ ସହ ଉତ୍ତମ ସଂପର୍କ । ମୁଁ ଚାହିଁଲେ ତୁମ ପୁଅକୁ ଉକ୍ତ ବିଭାଗରେ ଆସିଷ୍ଟାଣ୍ଟ୍‌ କମିଶନର ଚାକିରି କରାଇ ଦେବି । ଏଭଳି ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତକୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି ।  ତାଙ୍କ ନାମ ପୁରୁଷୋତ୍ତମ ସାହୁ(୪୮) ।  ଘର ଦେଓଗଡ଼ । ସେ ଗ୍ୟାରେଜ ଛକ ରାଧାକୃଷ୍ଣନଗରରେ ରହୁଥିଲେ । 

ପୁଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ରାଜକନିକାର ବୈଦ୍ୟନାଥ ବଳ ଗ୍ୟାରେଜ ଛକ ଅଞ୍ଚଳରେ  ରୁହନ୍ତି । ପୁରୁଷୋତ୍ତମ ଗ୍ୟାରେଜ ଛକରେ ଏକ ଦୋକାନ କରିଥିଲେ । ତାଙ୍କ ଦୋକାନକୁ ଯିବାଆସିବା ଭିତରେ  ଉଭୟଙ୍କ ମଧ୍ୟରେ ଉତ୍ତମ  ସଂପର୍କ ଗଢ଼ି ଉଠିଥିଲା ।  ପୁଅର ଚାକିରି ପାଇଁ  ବୈଦ୍ୟନାଥ ବ୍ୟସ୍ତଥିବା ପୁରୁଷୋତ୍ତମ ଜାଣିବାକୁ  ପାଇଥିଲେ । ତାଙ୍କର  ଓଡ଼ିଶା ମ୍ୟୁନିସିପାଲିଟି ଆଡ୍‌ମିନିଷ୍ଟ୍ରେଟିଭ୍‌ ସର୍ଭିସ କମିଶନରଙ୍କ ସହ ଭଲ  ସଂପର୍କ ଅଛି । ଟଙ୍କା ଦେଲେ ତାଙ୍କୁ କହି  ତୁମ ପୁଅର ଚାକିରି କରାଇ ଦେବି ବୋଲି କହିଥିଲେ । ଏତେବଡ଼ ପୋଷ୍ଟରେ ପୁଅର  ଚାକିରି ହୋଇଯିବ ଜାଣି ବୈଦ୍ୟନାଥ ୨  ବର୍ଷ ତଳେ ପୁରୁଷୋତ୍ତମଙ୍କୁ ୨୫ ଲକ୍ଷ  ଟଙ୍କା ଦେଇଥିଲେ । ଚାକିରି ନେଇ ବୈଦ୍ୟନାଥ ପଚାରିବାରୁ ସେ ଆଜିକାଲି କହି  ଦିନ ଗଡ଼ାଇ ଚାଲିଥିଲେ । ଶେଷରେ  ବୈଦ୍ୟନାଥ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ।

ପୁରୁଷୋତ୍ତମ ତାଙ୍କୁ ମାତ୍ର ୨.୩ ଲକ୍ଷ ଟଙ୍କା ଫେରସ୍ତ  କରିଥିଲେ । ତା’ ପରେ ଆଉ ଧରାଛୁଆଁ ଦେଇ ନଥିଲେ ।  ଶେଷରେ ବୈଦ୍ୟନାଥ ଥାନାର ଦ୍ୱାରସ୍ଥ ହେବାରୁ ମାସକ  ଭିତରେ ଅବଶିଷ୍ଟ ଟଙ୍କା ଫେରସ୍ତ କରିବେ ବୋଲି  ପୁରୁଷୋତ୍ତମ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଟଙ୍କା ଫେରସ୍ତ କରି ନଥିଲେ । ବୈଦ୍ୟନାଥ ଟଙ୍କା ମାଗିବାରୁ ସେ  ତାଙ୍କୁ ହତ୍ୟା ଧମକ ଦେଇଥିଲେ । ଏନେଇ ବୈଦ୍ୟନାଥ  ଗତମାସ ୬ ତାରିଖରେ ଶ୍ରୀଲିଙ୍ଗରାଜ ଥାନାରେ ଏତଲା  ଦେଇଥିଲେ । ପୁଲିସ ଏକ ଠକେଇ ମାମଲା ରୁଜୁକରି  ପୁରୁଷୋତ୍ତମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।