ନୂଆଦିଲ୍ଲୀ : ପଞ୍ଜାବର ଫଗୱାଡ଼ାରେ ଆମ ଆଦମୀ ପାର୍ଟିର ଜଣେ ନେତାଙ୍କ ଘର ଉପରକୁ ୨୫ ରାଉଣ୍ଡ ଗୁଳିମାଡ ହୋଇଛି । ଫଗୱାଡ଼ା ହେଉଛି ରାଜ୍ୟର କପୁରଥଲା ଜିଲ୍ଲାର ଏକ ପୌରପାଳିକା ଅଞ୍ଚଳ। ଦୁଇ ଜଣ ବାଇକ୍ ଆରୋହୀ ଆପ ନେତା ଦଲଜିତ ରାଜୁ ଦରଭେଶଙ୍କ ଘର ଉପରକୁ ଆଖିବୁଜା ଗୁଳିଚାଳନା କରିଛନ୍ତି। ଏଥିସହ ୫ କୋଟି ଟଙ୍କା ଦାବି କରି ଏକ ଚିଠି ଫିଙ୍ଗି ଫେରାର ହୋଇ ଯାଇଛନ୍ତି ।
ସୂଚନାଥାଉକି, ଆମ ଆଦମୀ ପାର୍ଟି ପଞ୍ଜାବରେ ଏବେ କ୍ଷମତାରେ ଅଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାଜ୍ୟରେ ନିଶା ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଆଉ ଦଲଜିତ ରାଜୁ ଦରଭେଶଙ୍କୁ ପଞ୍ଜାବ ସରକାର ନିଶା ବିରୋଧି ଅଭିଯାନର ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି।
ଆପ ନେତାଙ୍କ ଘର ଉପରେ ଆଖିବୁଜା ଗୁଳିଚାଳନା କରିବା ଫଳରେ କାନ୍ଥ ଏବଂ ଦ୍ୱାରରେ ଗାତ ସୃଷ୍ଟି ହୋଇଥିଲା, ଝରକା କାଚ ଭାଙ୍ଗି ଯାଇଥିଲା। ଗୁଳିକାଣ୍ଡ ପରେ ଦୁର୍ବୃତ୍ତ ମାନେ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ଛାଡିଥିଲେ। ସୂଚନା ପାଇବା ପରେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ଆରମ୍ଭ କରିଛନ୍ତି ।
ଦଲଜିତ ରାଜୁ କିଏ ?
ଦଲଜିତ ରାଜୁ ଦରଭେଶ, ଯାହାଙ୍କ ଘରେ ଆଜି ଗୁଳିଚାଳନା ହୋଇଛି, ତାଙ୍କୁ ଫଗୱାଡା ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଏ। ଦଲଜିତ ପୂର୍ବରୁ କଂଗ୍ରେସ ସହିତ ଜଡିତ ଥିଲେ ଏବଂ କପୁରଥଲାର ଜିଲ୍ଲା ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ପରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ପୂର୍ବତନ ମନ୍ତ୍ରୀ ଯୋଗିନ୍ଦର ସିଂହ ମାନଙ୍କ ନିକଟତର ବୋଲି ବିବେଚନା କରାଯାଏ।