ଭୁବନେଶ୍ୱର, ୨୪/୦୩: ରାଜ୍ୟର ବିକାଶ ଯାତ୍ରାରେ ମହିଳାମାନେ ଆଗଧାଡ଼ିରେ ଅଛନ୍ତି । ଆଗରୁ ମହିଳାମାନଙ୍କର ବିକାଶ କିପରି କରାଯିବ ଚିନ୍ତା କରାଯାଉଥିବା ବେଳେ ଏବେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନରେ ମହିଳାମାନେ କର୍ଣ୍ଣଧାର ସାଜିଛନ୍ତି ।ସ୍ୱୟଂ-ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆର୍ଥିକ ରୂପେ ଦୃତ ଅଭିବୃଦ୍ଧି କରିବା ସହିତ ସଶକ୍ତ ଓ ସ୍ଵାବଲମ୍ବୀ ହେବାଦ୍ଵାରା ଆଗାମୀ ଦିନର ପରିକଳ୍ପିତ ବିକଶିତ ଓଡ଼ିଶାର ମୂଳଦୁଆ ସୁଦୃଢ ହେଉଅଛି । ମିଶନ ଶକ୍ତି ଭବନଠାରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କୁ ସୁଧ ରିହାତି ସମେତ ଆର୍ଥିକ ସହାୟତା ପ୍ରଦାନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।
ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ପ୍ରତ୍ୟେକ ମହିଳା ଯେପରି ନିଜ ପରିବାର ସମସ୍ତ ଦାୟିତ୍ବ ନେଉଛନ୍ତି, ସେହିପରି ସରକାରଙ୍କ ଯୋଜନା ମାଧ୍ୟମରେ ମିଳୁଥିବା ଆର୍ଥିକ ସମ୍ବଳର ସୁବିନିଯୋଗ ତଥା ବ୍ୟାପାର ଲାଭାର୍ଥର ପୁନଃ ବିନିଯୋଗ କରିବା ଆବଶ୍ୟକ । ସଶକ୍ତ ହେବାପାଇଁ ନିଜକୁ ଆର୍ଥିକ ରୂପେ ସାକ୍ଷର କରି ଆଜିକାଲିର ବିଭିନ୍ନ ପ୍ରକାର ସାଇବର ଠକେଇ ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ସେ ସ୍ୱୟଂ-ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଉପ-ମୁଖ୍ୟମନ୍ତ୍ରୀ, ଆଭାସୀ ମାଧ୍ୟମରେ କୋରାପୁଟ, ବାଲେଶ୍ୱର, କଳାହାଣ୍ଡି, ଗଞ୍ଜାମ ଏବଂ କେନ୍ଦୁଝର ଭଳି ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟା ଓ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ରାଜ୍ୟର ୨,୬୭,୧୩୧ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କର ବ୍ୟାଙ୍କ ଋଣ ଉପରେ ୨୦୮.୩୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯାଇଛି। ଏଥି ସହିତ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ସମୁଦାୟ ୩,୮୦,୭୬୩ ସ୍ଵୟଂ-ସହାୟକ ଗୋଷ୍ଠୀଙ୍କୁ ୭୨୪. ୩୯ କୋଟି ଟଙ୍କାର ବ୍ୟାଙ୍କ ଋଣ ସୁଧ ଫେରସ୍ତ କରାଯାଇଛି। ମୋଟ ୩,୫୧୦ଟି ଏସଏଚଜିକୁ ୬.୪୩ କୋଟି ଟଙ୍କା ରିଭଲଭିଂ ଫଣ୍ଡ ଭାବରେ ପ୍ରଦାନ କରାଯାଇଥିବା ବେଳେ, ୧୮୦ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ (GPLF) କୁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ ଭାବରେ ୫୭.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ୧୦୧ଟି କ୍ଲଷ୍ଟର ସ୍ତରୀୟ ମହାସଂଘ (CLF) କୁ ଭଲନରାବିଲିଟି ରିଡକ୍ସନ ଫଣ୍ଡ ଅଧୀନରେ ୧.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ମାନସୀ ନିମ୍ଭାଲ, ଯୁଗ୍ମ ସଚିବ ମମତା ବି, ଅତିରିକ୍ତ ସଚିବ ଜ୍ୟୋତି ଶଙ୍କର ମହାପାତ୍ର ଏବଂ ୟୁକୋ ବ୍ୟାଙ୍କର ସାଧାରଣ ପରିଚାଳକ ଭଗବତ ସିଂ ଭକୁନୀ ଉପସ୍ଥିତ ଥିଲେ।