ଭୁବନେଶ୍ୱର,୦୫/୦୧: ଦେଶ ବା ବିଦେଶରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ  କରିଥିବା ପ୍ରବାସୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ  ପ୍ରଦାନ କରାଯିବ । ମୋଟ ୨୭ ଜଣଙ୍କୁ ଏହି  ସମ୍ମାନ ଦିଆଯିବ ବୋଲି ବୈଦେଶିକ ବ୍ୟାପାର  ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସ ଉତ୍ସବର  ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ । 

ଏହି ପୁରସ୍କାର ପ୍ରଦାନ ପାଇଁ ଯୋଗ୍ୟ ପ୍ରବାସୀ ବା ପ୍ରବାସୀଙ୍କ ଦ୍ୱାରା ପରିଚାଳିତ ସଂସ୍ଥା  ଚୟନ ନିମନ୍ତେ ଉପରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ  ଏକ ବିଚାରକମଣ୍ଡଳୀ ଗଢ଼ାଯାଇଥିଲା । ବୈଦେଶିକ ମନ୍ତ୍ରୀ ଏହି କମିଟିର ଉପାଧ୍ୟକ୍ଷ  ଥିଲେ । ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଏହି କମିଟିର  ସଦସ୍ୟ ଥିଲେ। ମୋଟ ୨୭ ଜଣଙ୍କୁ ପୁରସ୍କାର  ଦେବାକୁ ନାଁ ଚୂଡ଼ାନ୍ତ ହୋଇଛି । ବୈଦେଶିକ  ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍‌ରେ କୃତୀ  ବ୍ୟକ୍ତିଙ୍କ ତାଲିକା ଅପଲୋଡ୍‌ ହୋଇଛି । 

ଆମେରିକାରେ ରହୁଥିବା ୩ ଜଣ ପ୍ରବାସୀଙ୍କୁ  ଏହି ପୁରସ୍କାର ମିଳିବ । ବାଣିଜ୍ୟ(ଆଇଟି ଓ  କନ୍‌ସଲଟିଙ୍ଗ) କ୍ଷେତ୍ର ପାଇଁ ରବିକୁମାର ଏସ୍‌ଙ୍କୁ  ପ୍ରବାସୀ ଭାରତୀୟ ସମ୍ମାନ ଦିଆଯିବ । ସାମାଜିକ  ସେବା(କମ୍ୟୁନିଟି ସର୍ଭିସ୍‌) ପାଇଁ ଡ. ଶର୍ମିଳା  ଫୋର୍ଡ ଓ ମେଡିସିନ୍‌ କ୍ଷେତ୍ର ପାଇଁ ଡା. ଶରଦ  ଲଖନପାଲଙ୍କୁ ଏହି ପୁରସ୍କାର ମିଳିବ ।

ରୁଷିଆରେ ରହୁଥିବା ସୁଧୀର ରଞ୍ଜନ  ଗୁପ୍ତାଙ୍କୁ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଏହି  ପୁରସ୍କାର ଦିଆଯିବ । ସାମାଜିକ ସେବା ପାଇଁ ହିନ୍ଦୁସ୍ତାନୀ ସମାଜକୁ ପୁରସ୍କାର ମିଳିବ ।  ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ପ୍ରଫେସର  ଅଜୟ ରାଣେଙ୍କୁ ସାମାଜିକ ସେବା ପାଇଁ ଓ  ଶିକ୍ଷା କ୍ଷେତ୍ରରେ ଡା. ମାରିଆଲେନା ଜୋଆନ  ଫର୍ଣ୍ଣାଣ୍ଡିସ୍‌ ଏହି ପୁରସ୍କାର ପାଇବେ ।  ମେଡିକାଲ ସାଇନ୍ସ ବା ଚିକିତ୍ସା ବିଜ୍ଞାନ ପାଇଁ ବାରବାଡୋସ୍‌ରେ ରହୁଥିବା ପ୍ରବାସୀ ଡା.  ଫିଲୋମେନା ଆନ୍‌ ମୋହିନୀ ହାରିସ୍‌ଙ୍କୁ  ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯିବ । 

ସାମାଜିକ ସେବା ପାଇଁ ଫିଜିରେ ରହୁଥିବା  ସ୍ୱାମୀ ସଂଯୁକ୍ତାନନ୍ଦ ଓ ଗୁଏନାର ସରସ୍ୱତୀ ବିଦ୍ୟା  ନିକେତନଚୁ ପୁରସ୍କୃତ କରାଯିବ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ପାଇଁ ଜାପାନର ଡ.  ଲେଖ୍‌ରାଜ ଜୁନେଜା, କିର୍ଗିଜ୍‌ ଗଣରାଜ୍ୟରେ  ରହୁଥିବା ପ୍ରବାସୀ ଡା. ପ୍ରେମକୁମାରଙ୍କୁ ଚିକିତ୍ସା ବିଜ୍ଞାନରେ ସଫଳତା ପାଇଁ,ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇଁ ଲାଓସ୍‌ରେ ରହୁଥିବା  ସୌକ୍ତଭ୍ୟ ଚୌଧୁରୀ, ମାଲାବୀର ପ୍ରବାସୀ ଭାରତୀୟ କ୍ରିଷ୍ଣା  ଶାଭଜାନୀଙ୍କୁ ଏହି ପୁରସ୍କାର ମିଳିବ । ମାଲେସିଆର ପ୍ରବାସୀ  ଭାରତୀୟ ଡା. ସୁବ୍ରମଣ୍ୟମ୍‌ କେଭି ସଦାଶିବମ୍‌ଙ୍କୁ ରାଜନୀତି  କ୍ଷେତ୍ର ପାଇଁ ପୁରସ୍କୃତ କରାଯିବ । ସାମାଜିକ ସେବା ପାଇଁ  ମରିସସ୍‌ରେ ରହୁଥିବା ଡା. ସରିତା ବୁଧୁ ଓ ମାଲ୍‌ଡୋଭାରେ  ରହୁଥିବା ଡା. ଅଭୟ କୁମାରଙ୍କୁ ବାଣିଜ୍ୟ କ୍ଷେତ୍ର ପାଇଁ  ପୁରସ୍କାର ମିଳିବ । 

ମିଆଁମାରରେ ରହୁଥିବା ଡା. ରାମ ନିବାସ ହିଆତୁନ୍‌ଙ୍କୁ  ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ପୁରସ୍କୃତ କରାଯିବ ।  ରୋମାନିଆରେ ରହୁଥିବା ଜଗନ୍ନାଥ ଶେଖର ଆସ୍ତାନାଙ୍କୁ  ବାଣିଜ୍ୟ ପାଇଁ ଓ ସାଉଦି ଆରବରେ ରହୁଥିବା ଡା. ସଇଦ  ଅନୱର ଖୁର୍ସିଦଙ୍କୁ ଚିକିତ୍ସା ବିଜ୍ଞାନ ପାଇଁ ପ୍ରବାସୀ ଭାରତୀୟ  ସମ୍ମାନ ପ୍ରଦାନ କରାଯିବ । ସିଙ୍ଗାପୁରରେ ରହୁଥିବା ଅତୁଲ  ଅରବିନ୍ଦ ତେମୁରନିକରଙ୍କୁ ଶିକ୍ଷା ପାଇଁ, ସ୍ପେନରେ ରହୁଥିବା  ରବର୍ଟ ମାଶୀ ନାହରଙ୍କୁ ସାମାଜିକ ସେବା ପାଇଁ, ତାଞ୍ଜାନିଆରେ  ଥିବା ଡା. କୌଶିକ ଲକ୍ଷ୍ମୀଦାସ ରମୟାଙ୍କୁ ମେଡିସିନ୍‌ ପାଇଁ,  ତ୍ରିନିଦାଦ ଓ ଟୋବେଗୋରେ ଥିବା ଏଚ୍‌ଇ କ୍ରିଷ୍ଟିନେ କାର୍ଲୋ  କଙ୍ଗାଲୋ ଅର୍ଟଙ୍କୁ ସାଧାରଣ ବ୍ୟାପାର ପାଇଁ, ୟୁଏଇରେ  ଥିବା ରାମକ୍ରିଷ୍ଣନ ଶିବସ୍ୱାମୀ ଆୟରଙ୍କୁ ବାଣିଜ୍ୟ କ୍ଷେତ୍ର ପାଇଁ,  ଉଗାଣ୍ଡାରେ ଥିବା ବନଥାଲା ସୁବୟହା ସେଟ୍ଟୀ ରମେଶ ବାବୁଙ୍କୁ  ସାମାଜିକ ସେବା ପାଇଁ ଓ ଲଣ୍ଡନରେ ରହୁଥିବା ବାରୋନେସ୍‌  ଉଷା କୁମାରୀ ପ୍ରସାରଙ୍କୁ ରାଜନୀତିରେ ସଫଳତା ପାଇଁ  ପ୍ରବାସୀ ଭାରତୀୟ ସମ୍ମାନ ଦିଆଯିବ । ସୂଚନାଯୋଗ୍ୟ ଯେ,  ଶେଷ ଥର ପାଇଁ ୨୦୨୧ରେ ମାଳଦ୍ୱୀପରେ ରହୁଥିବା ପ୍ରବାସୀ  ଓଡ଼ିଆ ସଲିଲ୍‌ ପାଣିଗ୍ରାହୀଙ୍କୁ ଏହି ପ୍ରତିଷ୍ଠିତ ପୁରସ୍କାର  ମିଳିଥିଲା । ଫିଲ୍ମ ଶିଳ୍ପରେ ଉତ୍କର୍ଷ ହାସଲ କରିଥିବାରୁ ତାଙ୍କୁ  ଏହି ପୁରସ୍କାର ଦିଆଯାଇଥିଲା ।